ଦାମୀ କାର୍‌ରେ ଚାଲାଣ ହେଉଥିଲା ବିପୁଳ ପରିମାଣର ଗଞ୍ଜେଇ, ଧରିଲା ଅବକାରୀ

ବ୍ରହ୍ମପୁର ଅଫିସ,୨୧ା୯: ଅବକାରୀ ଗୋଇନ୍ଦା ପୋଲିସ ବୁଧବାର ଭୋର୍‌ରୁ ୧୫ ଲକ୍ଷର ଦାମୀ କାର୍‌ ସହ ୧୨୦ କେଜି ଗଞ୍ଜେଇ ଜବତ କରିଛି। ଅବକାରୀ ପୋଲିସ ଓ ସ୍ଥାନୀୟ ଲୋକେ ପିଛା କରୁଥିବା ଦେଖି ଗଞ୍ଜେଇ ଚାଲାଣକାରୀ ଜଣଙ୍କ ରାସ୍ତା ଉପରେ କାର୍‌ ଛାଡ଼ି ଚମ୍ପଟ ମାରିଥିଲା ବୋଲି ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି। ପୋଲିସ ଉକ୍ତ କାର୍‌ଟିରେ ଲାଗିଥିବା ନମ୍ବରଟି ନକଲି ଥିବା କହିଛି। ତେବେ କାର୍‌ର ଇଞ୍ଜିନ ନମ୍ବରକୁ ଟ୍ରାକିଂ କରି ମାଲିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲଷ ହେବ ବୋଲି ଅବକାରୀ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି। ଉକ୍ତ ଗଞ୍ଜେଇ ଫୁଲବାଣୀରୁ ପଶ୍ଚିମବଙ୍ଗ ଚାଲାଣ ହେବାକୁ ଥିବା ବେଳେ ବୁଧବାର ଅବକାରୀ ପୋଲିସ ଜଗନ୍ନାଥପ୍ରସାଦ ଗୋଛାପଢ଼ା ଗାଁ’ରୁ ଜବତ କରିଛି। ମଙ୍ଗଳବାର ରାତିରେ ଏକ କାର୍‌ରେ ଗଞ୍ଜେଇ ଫୁଲବାଣୀରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ନେଇ ଡେପୁଟି କମିଶନର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ତାଙ୍କର ନିର୍ଦ୍ଦେଶରେ ଉପ-ଅଧୀକ୍ଷକ କୁବେର ସେଠୀ ଓ ଇନ୍ସପେକ୍ଟର ସାମନ୍ତଙ୍କୁ ନେଇ ଦୁଇଟି ଟିମ୍‌ ଗଠନ ହୋଇଥିଲା। ବୁଧବାର ଭୋର୍‌ରୁ ପ୍ରାୟ ୩ଟା ସମୟରେ ଏକ କାର୍‌ ଓଆର ୦୨ ବିକ୍ୟୁ ୭୮୫୮ ଜଗନ୍ନାଥପ୍ରସାଦ ଦେଇ ଆସୁଥିବା ବେଳେ ପୋଲିସ ଅଟକାଇଥିଲା। ହେଲେ ଉକ୍ତ କାର୍‌ ଚାଳକ ଜଣଙ୍କ ପୋଲିସ ଗାଡ଼ି ଧକ୍କା ଦେଇ ଆଗକୁ ଚାଲିଯାଇଥିଲା। ପୋଲିସ ଉକ୍ତ କାର୍‌ଟିକୁ ପିଛା କରିଥିଲା। ପୋଲିସକୁ ଦେଖି କାର୍‌ ଚାଳକ ଜଣଙ୍କ ଗୋଛାପଢ଼ା ଜଙ୍ଗଲିଆ ରାସ୍ତା ପଟେ ଗାଡ଼ି ନେଇଥିଲେ। ହେଲେ ସ୍ଥାନୀୟ ଲୋକ ମଧ୍ୟ ଉକ୍ତ କାର୍‌ଟିର ପିଛା କରିଥିଲେ। ପୋଲିସ ଓ ଲୋକଙ୍କ ହାବୁଡ଼ରେ ଧରା ପଡ଼ିଯିବା ଭୟରେ ଗଞ୍ଜେଇ ଚାଲାଣକାରୀମାନେ ରାସ୍ତାକଡ଼ରେ କାର୍‌ ଛାଡ଼ି ଜଙ୍ଗଲ ଭିତର ଦେଇ ଖସି ପଳାଇଥିଲେ। ପରେ ପୋଲିସ ଉକ୍ତ କାର ଜବତ କରି ଯାଞ୍ଚ ବେଳେ ସେଥିରୁ ୧୨୦ କେଜି ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା। କାର୍‌ ସହ ଗଞ୍ଜେଇ ଜବତ କରାଯାଇଛି ବୋଲି ଅବକାରୀ ଡେପୁଟି କମିଶନର କହିଛନ୍ତି।