Advertisement

ଗଞ୍ଜେଇ ବୋଝେଇ ଅଟୋ ଜବତ, ଜେଲ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅବକାରୀ ଥାନା ଏସ.ଆଇ ଅନୀତା ପ୍ରଧାନ ସୋମବାର ସଦଳବଳେ ପିଛା କରି ଏକ ଗଞ୍ଜେଇ ବୋଝେଇ ଅଟୋ ନଂ. (ଓଡି୦୭ ଏଏସ ୩୬୨୯) ଜବତ କରିଛନ୍ତି। ଅଟୋଟି ଗଜପତି ଜିଲା ମୋହନା ଗ୍ରାମରୁ ଦିଗପହଣ୍ଡି ପୁଞ୍ଜିକୟାଁ ଛକ ଦେଇ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅଟୋକୁ ଅଟକାଇ ବିଭାଗୀୟ କର୍ମଚାରୀ ବ୍ରହ୍ମପୁର ଅବକାରୀ ଡିଏସପି କୁମୁଦ ରଞ୍ଜନ କହଁରଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଅଟୋରେ ୨୬.୫ କିଲୋଗ୍ରାମ ଓଜନର ଗଞ୍ଜେଇ ଥିବା ଜଣାପଡିଛି। ଅବକାରୀ ଥାନା ମାମଲା ନଂ. ୧୮୭/୨୫ ପ୍ରକାରେ ମାମଲା ରୁଜୁ କରାଯାଇ ଅଟୋ ଏବଂ ଗଞ୍ଜେଇ ଜବତ କରାଯିବା ସହ ଗଞ୍ଜେଇ ଚୋରାଚାଲାଣ କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଗଜପତି ଜିଲା ଅଡବା ଥାନା ରାଇଜୁକା ଗ୍ରାମର ବିଜ୍ଞାନନ୍ଦ ନାଇକ ଏବଂ ରିତୁ ନାଇକ। ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଚଢ଼ାଉ ଧରପକଡରେ ଦିଗପହଣ୍ଡି ଅବକାରୀ ଏଏସଆଇ ଏନ. ତ୍ରିପତି, କନେଷ୍ଟବଳ ସୂର୍ଯ୍ୟ ନାରାୟଣ ଜେନା, ନିରଞ୍ଜନ ବେହେରା, ଆଲଫଲତା ସାହୁ ପ୍ରମୁଖ ସାମିଲ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share