ଚାଲାଣ କରୁଥିଲେ ଗଞ୍ଜେଇ, ଧରାପକାଇ ଦେଲା ଦୁର୍ଘଟଣା

ପାପଡାହାଣ୍ଡି,୧୮।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ଫାଣ୍ଡି ଅଧୀନ ଆମପାଣି ଘାଟି ଭାଲୁଝର ନିକଟରୁ ଜଣେ ଗଞ୍ଜେଇ ଚାଲାଣକାରୀଙ୍କୁ ଶୁକ୍ରବାର ପୋଲିସ ଧରିବାରେ ସଫଳ ହୋଇଛି। ସେ ହେଲେ କଳାହାଣ୍ଡି ଜିଲା ବଡ଼ପୋଡାଗୁଡା ଅଞ୍ଚଳର ନବ ନାୟକ।

ମିଳିଥିବା ସୂଚନା ମୁତାବକ, ନବ ଏକ ବାଇକ୍‌ରେ ଗଞ୍ଜେଇ ଧରି ଯାଉଥିଲେ। ହେଲେ ଭାଲୁଝର ନିକଟରେ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମଇଦଲପୁର ପୋଲିସ ପହଞ୍ଚି ନବଙ୍କୁ ଉଦ୍ଧାର କରି ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ପୋଲିସ ଯାଞ୍ଚ ବେଳେ ବାଇକରୁ ୧୪ କେଜି ଗଞ୍ଜେଇ ଜବତ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share