ପିଆଜ ଟ୍ରକ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ: ଧରାପଡ଼ିବା ପରେ…

ଆର.ଉଦୟଗିରି,୧।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ପକ୍ଷରୁ ଚଢାଉ କରାଯାଇ ଶନିବାର ଏକ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‌ରୁ ୧୦ କ୍ୱିଣ୍ଟାଲ ୭୫ କିଲୋ ଗଞ୍ଜେଇ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ରାଉରକେଲାର ନିଖିଲ କୁମାର ଓ ଅନୁରାଗ କୁମାର।
ସୂଚନାଯୋଗ୍ୟ, ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସଦଳବଳେ ଚାନ୍ଦିପଟ ଓ ଲୁହଗୁଡ଼ଠାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଉକ୍ତ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‌କୁ ସନ୍ଦେହରେ ଯାଞ୍ଚ କରିଥିଲେ । ପରେ ପିଆଜ ବସ୍ତା ତଳେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପ୍ଲାଷ୍ଟିକ ଜରି ବ୍ୟାଗରେ ୩୮ ବସ୍ତା ଗଞ୍ଜେଇ ମିଳିଥିଲା। ଉକ୍ତ ଟ୍ରକ ଆର. ଉଦୟଗିରିରୁ ବନାରସ ଯାଉଥିବା ଜଣାପଡ଼ିଛି। ଉକ୍ତ ଗଞ୍ଜେଇ ବସ୍ତା ଓଜନ ପରେ ୧,୦୫୭ କିଲୋ ୫୦୦ ଗ୍ରାମ ହୋଇଥିଲା।  ପରେ ଟ୍ରକ୍‌କୁ ଜବତ କରାଯାଇ ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଥାନାରେ କେସ ନଂ/ ୧୨୦/୨୦ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।