କଣ୍ଟେନର, କାରରେ ହେଉଥିଲା ଗଞ୍ଜେଇ ଚାଲାଣ

ବ୍ରହ୍ମପୁର,୩।୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ଟିମ୍‌ ଏକ କଣ୍ଟେନର, କାର ସହିତ ୪୧୬ କେଜି ଗଞ୍ଜେଇ ଜବତ କରିଛି। ଏପରିକି ଘଟଣାରେ ସମ୍ପୃକ୍ତ ୪ଜଣ ଚାଲାଣକାରୀଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାଁ ମଞ୍ଜୁର ହେବାରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଗଜପତି ଜିଲାରୁ ଗଞ୍ଜେଇ ଦିଗପହଣ୍ଡି ଦେଇ ବ୍ରହ୍ମପୁର ଚାଲାଣ ହେଉଥିବା ନେଇ ଅବକାରୀ କମିଶନର ନରସିଂହ ଭୋଳଙ୍କୁ ଖବର ମିଳିଥିଲା। ତାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଡିଏସ୍‌ପି ସ୍ନେହଲତା ନାୟକଙ୍କ ନେତୃତ୍ୱରେ ଏକ ଟିମ ପୁଡ଼ାମାରୀ ନିକଟରେ ଯାନବାହନ ଯାଞ୍ଚ କରିଥିଲା। ସେତିକିବେଳେ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଉକ୍ତ କଣ୍ଟେନର ଓ କାରଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ସେଥିରେ ବେଆଇନ ଭାବେ ଗଞ୍ଜେଇ ମହଜୁଦ ଥିବା ଦେଖିବାକୁ ମିଳିଥିଲା। ଏପରିକି ଟିମ୍‌ ୪୧୬ କେଜି ଗଞ୍ଜେଇ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।