ବାଲିଗୁଡ଼ା,୯ା୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି। ଏହି ପରିପ୍ରେକ୍ଷୀରେ ସିନ୍ଦ୍ରିଗାଁ ପଞ୍ଚାୟତର ସିନ୍ଦ୍ରିଗାଁ ଅଞ୍ଚଳ ଓ ବୁଡୁରୁକିଆ ଅଞ୍ଚଳରେ ପ୍ରାୟ ୧୫୫ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବାଲିଗୁଡ଼ା ଏସ୍ଡିପିଓ ଜି.ଆର ରାଘବେନ୍ଦ୍ରଙ୍କ ତତ୍ତ୍ୱାବଧାନ ଓ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ବାହିନୀ ଓ ଅବକାରୀ ପୋଲିସ ଗଞ୍ଜେଇ ଗଛଗୁଡ଼ିକୁ କାଟି ସେଥିରେ ନିଆଁ ଲଗାଇଛନ୍ତି । କନ୍ଧମାଳ ଏସ୍ପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଏହି ଅପରେଶନ ଜାରି ରହିଛି। ଏ ନେଇ ବାଲିଗୁଡା ଥାନାରେ ଏକ ମାମଲା ନଂ.୨୬୧/୨୧ ରୁଜୁ କରାଯାଇଛି। ଆଗକୁ ଅଞ୍ଚଳରୁ ଗଞ୍ଜେଇ ଚାଷ ମୂଳପୋଛ କରିବା ପାଇଁ ଏହି ଅପରେଶନ ଜାରି ରହିବ ବୋଲି ସୂଚନା ମିଳିଛି।