୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୧୫ା୯(ସ୍ବ.ପ୍ର.): ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଅବକାରୀ ବିଭାଗ  ଆଇଆରବି ନିକଟରୁ ୩ କ୍ୱିଣ୍ଟାଲ ୨ କେଜି ଗଞ୍ଜେଇ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି।

ସୂଚନାନୁଯାୟୀ କୋରାପୁଟ ସେମିଳିଗୁଡ଼ାରୁ ଏକ କଣ୍ଟେନର ଆରଜେ ୧୧ ଜିଏ ୪୦୫୯ ନମ୍ବର ଗାଡ଼ିରେ ରାଜସ୍ଥାନକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ କୋରାପୁଟ ସଦର ଅବକାରୀ ବିଭାଗ ଓ କୋରାପୁଟ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ ଅତର୍କିତ ଚଢ଼ାଉ କରିଥିଲେ। କଣ୍ଟେନର ଯାଞ୍ଚ ସମୟରେ ଡ୍ରାଇଭର ଚ୍ୟାମ୍ବରରୁ ୩୦୨ କେଜି ଗଞ୍ଜେଇ ବାହାରିଥିଲା। ଅବକାରୀ ବିଭାଗ କଣ୍ଟେନରକୁ ଜବତ କରିବା ସହିତ କଣ୍ଟେନରରେ ଥିବା ୩ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଏମ୍‌ ଡି ଚାନ୍ଦ,ପ୍ରଦ୍ୟୁମ୍ନ ଯାଦବ,ସୁନିଲ କୁମାର। ଗିରଫ ବ୍ୟକ୍ତିଙ୍କ ଘର କାନପୁର ବୋଲି ଜଣାପଡ଼ିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଗୁରୁବାର କୋରାପୁଟ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।