Categories: ଜାତୀୟ

ସବୁବେଳେ ସଂଶୋଧନ କରିପାରିବେନି ଆଧାରକାର୍ଡର ଡାଟା, କଡାକଡି ହେଲା ନିୟମ

ନୂଆଦିଲ୍ଲୀ,୧୦।୧୨: ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସରକାର ଆଧାର କାର୍ଡ ବାଧ୍ୟତାମୂଳକ କରିଛନ୍ତି। ଯଦି ଆଧାର କାର୍ଡ ନାହିଁ, ତେବେ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହୋଇପାରନ୍ତ। କେନ୍ଦ୍ର ସରକାର କରିଥିବା ନିୟମାନୁସାରେ ଆଧାର କାର୍ଡରେ ଜନ୍ମ ତାରିଖ, ନାମ, ଏବଂ ଠିକଣାରେ କୌଣସି ତ୍ରୁଟି ଥିଲେ ପରବର୍ତ୍ତୀ ସମୟରେ ଏହାକୁ ସଂଶୋଧନ କରିପାରିବେ। କିନ୍ତୁ ଏଥିପାଇଁ ନିର୍ଦ୍ଧିଷ୍ଟ ନିୟମ ରହିଛି। ଆଧାର କାର୍ଡଧାରୀଙ୍କ ଡାଟା ବଦଳାଇବା ପାଇଁ UIDAI ସମୟ ସୀମା ସ୍ଥିର କରିଛି। କିନ୍ତୁ ବାରମ୍ବାର ଆଧାର କାର୍ଡର ଡାଟା ପରିବର୍ତ୍ତନ କରିପାରିବେ ନାହଁ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅନଲାଇନ ସେବା ପାଇବାକୁ ହେଲେ ପଞ୍ଜୀକୃତ ମୋବାଇଲ ନମ୍ବର ଆବଶ୍ୟକ। ଅନଲାଇନରେ ମୋବାଇଲ ନମ୍ବର ଅପଡେଟ କରିପାରିବେ ନାହିଁ । ତେଣୁ ମୋବାଇଲ ନମ୍ବର ଅପଡେଟ କରିବାକୁ ନିକଟସ୍ଥ ସେବା କେନ୍ଦ୍ର (ASK) କିମ୍ବା ଆଧାର ନାମାଙ୍କନ କେନ୍ଦ୍ରକୁ ଯୋଗାଯୋଗ କରିବାକୁ ପଡିବ।

UIDAI ଅନୁଯାୟୀ, ଆଧାର କାର୍ଡଧାରୀ, ଆଧାର କାର୍ଡରେ କେବଳ ଦୁଇଥର ନାମ ପରିବର୍ତ୍ତନ କରିପାରିବେ। କିନ୍ତୁ ଜନ୍ମ ତାରିଖ (DOB) ଓ ଲିଙ୍ଗ ବିବରଣୀ କେବଳ ଥରେ ସଂଶୋଧନ କରିପାରିବେ।

ଆଧାର କାର୍ଡରେ ଫଟୋ ବଦଳାଇବାକୁ ହେଲେ ଆପଣଙ୍କୁ ଆଧାର କେନ୍ଦ୍ରକୁ ଯାଇ ଫର୍ମ ପୂରଣ କରିବାକୁ ପଡିବ । ସଠିକ ଏବଂ ସମ୍ପୂର୍ଣ୍ଣ ସୂଚନା ଫର୍ମରେ ଭରିବା ଜରୁରୀ। ତା’ପରେ ନୂଆ ଫଟୋକୁ ଆଧାର କାର୍ଡରେ ଅପଡେଟ କରାଯିବ। ଏହା ପରେ, uidai.gov.in କୁ ଯାଇ ଆଧାର କାର୍ଡର ନୂଆ ଡିଜିଟାଲ କପି ଡାଉନଲୋଡ କରିପାରିବେ। ଏହି ପ୍ରକ୍ରିୟା ପାଇଁ ଆଧାର କେନ୍ଦ୍ରରେ ୧୦୦ଟଙ୍କା ଦେୟ ଦେବାକୁ ପଡିବ।

Share