ନୂଆଦିଲ୍ଲୀ, ୩୦।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭାଜପା ଉପରେ ଜୋର୍ଦାର ବର୍ଷିଛନ୍ତି। ଗୈରିକ ଦଳ କେତେଜଣ ବିଧାୟକଙ୍କୁ କିଣିନେଇପାରେ କିନ୍ତୁ ଟିଏମ୍ସିକୁ କଦାପି କିଣିପାରିବ ନାହିଁ ବୋଲି ବୋଲପୁରଠାରେ ଏକ ରାଲିକୁ ସମ୍ବୋଧିତ କରି ମମତା କହିଥିଲେ। ଜନସାଧାରଣଙ୍କ ସମର୍ଥନ ଥିବା ପର୍ଯ୍ୟନ୍ତ ଦଳବଦଳର ଟିଏମ୍ସି ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ। ବିଶ୍ୱଭାରତୀର କୁଳପତି ବିଦ୍ୟୁତ୍ ଚକ୍ରବର୍ତ୍ତୀ ଜଣେ ଭାଜପା ଲୋକ ଓ ସେ ରାଜ୍ୟର ଗୌରବମୟ ଐତିହ୍ୟ ଓ ସଂସ୍କୃତିକୁ ନଷ୍ଟ କରିବାକୁ ଯୋଜନା କରୁଛନ୍ତି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭେଦଭାବପୂର୍ଣ୍ଣ ଓ ସାମ୍ପ୍ରଦାୟିକ ରାଜନୀତି ଚାଲିଥିବା ଟିଏମ୍ସି ଅଧ୍ୟକ୍ଷା ଅଭିଯୋଗ କରିଥିଲେ। ଯେଉଁମାନେ ମହାତ୍ମା ଗାନ୍ଧୀ ଓ ଦେଶର ଅନ୍ୟ ମହାନ ବ୍ୟକ୍ତିମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ, ସେମାନେ ସୁନାର ବଙ୍ଗଳା ଗଢ଼ିବା କଥା କହୁଛନ୍ତି। ରବୀନ୍ଦ୍ର ନାଥ ଟାଗୋର ବହୁ ଦଶନ୍ଧି ପୂର୍ବରୁ ସୁନାର ବଙ୍ଗଳା ଗଢ଼ିଛନ୍ତି, ସାମ୍ପ୍ରଦାୟିକ ଶକ୍ତି ଭାଜପାଠାରୁ ଏହାର ସୁରକ୍ଷା କରିବା ଆବଶ୍ୟକ ବୋଲି ମମତା କହିଥିଲେ।