Categories: ଜାତୀୟ

କରୋନା ଯୋଗୁ ସ୍ତ୍ରୀଙ୍କ ପାଖକୁ ଯାଇପାରୁନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ, କଲେ ଦୁଃଖପ୍ରକାଶ

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଜାମ୍ମୁରେ ଏକ ପୁସ୍ତକ ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ। କିନ୍ତୁ ଏହି ସମୟରେ ସେ ଏପରି ଏକ କଥା କହିଥିଲେ ଯେ ଉପସ୍ଥିତ ଲୋକେ ହସିବାକୁ ବାଧ୍ୟ ହୋଇଥିଲେ। ପୁସ୍ତକ ରିଲିଜ ସମାରୋହରେ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ କରୋନା ଭୂତାଣୁ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି କରିଛନ୍ତି। ମହାମାରୀ ଆରମ୍ଭ ହେବା ପରଠାରୁ ସେ ନିଜ ସ୍ତ୍ରୀଙ୍କୁ ଚୁମ୍ବନ ମଧ୍ୟ ଦେଇନାହାଁନ୍ତି। ସେ ଏହା କହିବା ମାତ୍ରେ ସେଠାରେ ଉପସ୍ଥିତ ଲୋକମାନେ ଜୋରରେ ହସିଲେ। ଏହା ପରେ ଫାରୁକ କହିଛନ୍ତି ଯେ ପରିସ୍ଥିତି ଏପରି ଯେ ହାତ ମିଳାଇବାକୁ କିମ୍ବା ଆଲିଙ୍ଗନ କରିବାକୁ ଭୟ ଲାଗୁଛି। ସୂଚନାଯୋଗ୍ୟ, ଜମ୍ମୁର ଗୁଜୁର ଦେଶ ଚାରିଟେବୁଲ ଟ୍ରଷ୍ଟର ବାବା ଗୁଲାମ ଶାହା ବାଦଶାହ ବିଶ୍ୱବିଦ୍ୟାଳୟ ରାଜୋରିର ପୂର୍ବତନ କୁଳପତି ପ୍ରଫେସର ମାସୁଦ ଅହମ୍ମଦ ଚୌଧୁରୀଙ୍କ ଆତ୍ମଜୀବନୀ ପୁସ୍ତକ ରିଲିଜ ସମାରୋହରେ ଡକ୍ଟର ଫାରୁକ ଅବଦୁଲ୍ଲାଙ୍କୁ ନିମନ୍ତ୍ରଣ କରାଯାଉଥିଲା। ଏହି ସମୟରେ ଫାରୁକ ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜମ୍ମୁ କଶ୍ମୀରରେ ୪ଜି ମୋବାଇଲ ଇଣ୍ଟରନେଟ ସେବା ପୁନଃସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ତାଙ୍କ ଚେୟାର ଛାଡି ଜମ୍ମୁ କଶ୍ମୀରରେ ରୁହନ୍ତି, ତେବେ ସେ ଜାଣିବେ ଯେ ଏଠାରେ ଲୋକମାନେ କିପରି ୨ଜି ମୋବାଇଲ ଇଣ୍ଟରନେଟ ସେବା ଦ୍ୱାରା ହଇରାଣ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଖୁବଶୀଘ୍ର ଭାରତରେ ପ୍ରଧାନମନ୍ତ୍ରୀ ୫-ଜି ଇଣ୍ଟରନେଟ ବିଷୟରେ କହୁଛନ୍ତି। କିନ୍ତୁ ଜମ୍ମୁ କଶ୍ମୀରବାସୀଙ୍କ ପାଇଁ ୪ଜି ମୋବାଇଲ ଇଣ୍ଟରନେଟ ମଧ୍ୟ ଉପଲବ୍ଧ ହେଉନାହିଁ।

Share