ତେନ୍ତୁଳିଖୁଣ୍ଟି,୩୦ା୭,(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତ ଖାତିଗୁଡ଼ା ଗ୍ରାମର ରେବତୀ କୁମ୍ଭାରଙ୍କ ଆଖି ଜନ୍ମରୁ ଖରାପ ରହିଛି। ପିଲାବେଳେ ଅଳ୍ପ ଦେଖାଯାଉଥିଲା। ଏବେ ବୟସ ବଢ଼ିବା ସହ ଆଖିର ଦୃଷ୍ଟିଶକ୍ତି କମିଲାଣି। ଆଖିର ଡୋଳାରେ କିଛିଟା ବ୍ୟତିକ୍ରମ ଯୋଗୁ ଦୃଷ୍ଟିଶକ୍ତି କମ୍ ରହିଛି। ରେବତୀଙ୍କୁ ନେଇ ମା’ ସୁରେଖା ଓ ବାପା ଗଙ୍ଗାଧର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ରେବତୀଙ୍କୁ ଉଚ୍ଚମାନର ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଭାଗ୍ୟକୁ ଆଦରି ରେବତୀଙ୍କ ପରିବାର ଲୋକେ ପଡ଼ି ରହିଛନ୍ତି।
୨୦୦୭ରେ ରେବତୀଙ୍କ ଜନ୍ମ। ଜନ୍ମରୁ ଅଳ୍ପ ଦେଖାଯାଉଥିଲେ ମଧ୍ୟ ସେ ପାଠପଢ଼ା ଆରମ୍ଭ କରିଥିଲେ। କିନ୍ତୁ ଧୀରେ ଧୀରେ କମ୍ ଦେଖାଯାଉଥିବାରୁ ଖାତିଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ପଢ଼ା ବନ୍ଦ କରିଦେଇଛନ୍ତି। ରେବତୀଙ୍କ ନିତ୍ୟକର୍ମରେ ମା’ ସୁରେଖା ସହଯୋଗ କରିଥାନ୍ତିି। ଆଖିକୁ କମ୍ ଦେଖାଯାଉଥିବାରୁ ନଦୀରେ ଗାଧୋଉଥିବା ବେଳେ ରେବତୀ ଭାସିଯାଉଥିଲେ। ପାଖରେ ଥିବା ଅନ୍ୟ ଜଣେ ସ୍ତ୍ରୀଲୋକ ତାଙ୍କୁ ଉଦ୍ଧାର କରିଥିଲେ। ଗତ ବର୍ଷ ଜୁନାଗଡ଼ ଡାକ୍ତରୀ ଟିମ୍ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନାରେ ଚକ୍ଷୁରୋଗୀଙ୍କୁ ପରୀକ୍ଷା କରିଥିଲେ। କେତେଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଜୁନାଗଡ଼ ନେଇ ଚିକିତ୍ସା କରିଥିଲେ। ରେବତୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଆବଶ୍ୟକ ହେବ ବୋଲି ଡାକ୍ତର କହିଥିଲେ। ଟଙ୍କା ଯୋଗାଡ଼ ନ କରିପାରିବା ଯୋଗୁ ରେବତୀଙ୍କ ଚିକିତ୍ସା କରି ପାରୁନାହାନ୍ତି ଗଙ୍ଗାଧର ଓ ସୁରେଖା।
ଗଙ୍ଗାଧର ଓ ସୁରେଖା ଦିନ ମଜୁରିଆଭାବେ ପରିବାର ପ୍ରତିପୋଷଣ କରନ୍ତି। ସେମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିଥିବା ରାଶନ କାର୍ଡରେ ସ୍ବାମୀ ସ୍ତ୍ରୀ ଓ ପୁଅ ରୁଦ୍ରମୋହନଙ୍କ ନାମ ରହିଛି। ସେଥିରେ ଝିଅ ରେବତୀଙ୍କ ନାମ ନାହିଁ। ଆଧାର କାର୍ଡ ସହ ରାଶନ କାର୍ଡ ସଂଯୋଗବେଳେ ରେବତୀଙ୍କ ଆଧାର କାର୍ଡ ନ ଥିବାରୁ ତାଙ୍କ ନାମ ରାଶନ କାର୍ଡରୁ ବାଦ୍ ପଡ଼ିଛି। ଦିବ୍ୟାଙ୍ଗଙ୍କ ପାଇଁ ଆଧାର କାର୍ଡ କରିବା ନିମନ୍ତେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇଥିଲା। ସେହି କ୍ୟାମ୍ପକୁ ଯାଇ ରେବତୀ ଆଧାର କାର୍ଡ କରାଇଛନ୍ତି। କିନ୍ତୁ ରେବତୀଙ୍କ ଆଧାର ବାପା ମା’ଙ୍କ ରାଶନ କାର୍ଡରେ ସଂଯୋଗ ହୋଇ ପାରୁନାହିଁ। ରାଶନ କାର୍ଡରେ ରେବତୀଙ୍କ ନାମ ନ ଥିବା ଯୋଗୁ ତାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କଓ୍ବୋଇ)ର ସୁବିଧା ମିଳିପାରୁନାହିଁ। କେବଳ ଭିନ୍ନକ୍ଷମ ଭତ୍ତା ୫୦୦ ଟଙ୍କା ରେବତୀଙ୍କୁ ମିଳୁଛି। ଏ ସମ୍ପର୍କରେ ବିଡିଓ ମନୋଜ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ରେବତୀଙ୍କ ନାମ ବିଏସ୍କେ ଯୋଜନାରେ ସାମିଲ କରିବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଜିଲା ଶିଶୁ ମଙ୍ଗଳ ଅଧିକାରୀ ସୁରେଶ ପଟ୍ଟନାୟକଙ୍କୁ ରେବତୀଙ୍କ ଚିକିତ୍ସା ସମ୍ବନ୍ଧରେ କ’ଣ କରାଯାଇପାରିବ ପଚାରିବାରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରି ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ ଯୋଜନାରେ ଚିକିତ୍ସା ବ୍ୟବସ୍ଥା ନେଇ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।