Categories: ଜାତୀୟ

ପ୍ରଚାର ବେଳେ କାନ୍ଦି କାନ୍ଦି ପ୍ରାର୍ଥୀ କହିଲେ ‘ଏଥର ପରାଜୟ ସହି ପାରିବି ନାହିଁ’

ନୂଆଦିଲ୍ଲୀ,୩।୨: ଏଥର ପରାଜୟ ସହି ପାରିବି ନାହିଁ। ଲୁହ ଭରା ଆଖିରେ ହାତ ଯୋଡ଼ି ଜଣେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭୋଟରଙ୍କ ଆଗରେ ଆକୁଳ ନିବେଦନ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।

ସୁନୀଲ ଚୌଧାରୀଙ୍କୁ ଆଗାମୀ ବିଧାନସଭା ନିର୍ବାଚନ ଲାଗି ନୋଏଡା ଆସନରୁ ଟିକେଟ୍‌ ଦେଇଛି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି। ତାଙ୍କୁ ପୂର୍ବରୁ ଦୁଇ ଥର ଏହି ଆସନରୁ ଏସ୍‌ପି ଟିକେଟ୍‌ ଦେଇଥିଲା। ହେଲେ ଉଭୟ ଥର ସେ ପରାସ୍ତ ହୋଇଥିଲେ। ଏଣୁ ଏଥର ଜିତିବା ତାଙ୍କ ପାଇଁ ନିହାତି ଆବଶ୍ୟକ।

“ମୋର ଏଥର ହାରିବା ପାଇଁ ସାହସ ନାହିଁ। ମୁଁ ହାରିବାକୁ ଚାହୁଁ ନାହିଁ। ମୁଁ ହାରି ହାରି ଥକି ଗଲିଣି। ମୁଁ ମୋ ହୃଦୟରୁ କହୁଛି, ଯଦି ତୁମେ ମୋତେ ଗୁଳି କରିବାକୁ ଚାହଁ, ତେବେ ମୋ ଛାତିରେ ଗୁଳି ମାର। ପଛ ପଟେ ଗୁଳି କର ନାହିଁ। ଅତିକମ୍‌ରେ ମୁଁ ଲୋକଙ୍କୁ ଚିହ୍ନି ପାରିବି। ଆଉ କହିପାରିବି, ମୋ ଲୋକେ ମୋତେ ଗୁଳି କଲେ” ବୋଲି ଚୌଧାରୀ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।

ଅନ୍ୟ ଏକ ଭିଡିଓରେ ତାଙ୍କ ସ୍ତ୍ରୀ ପ୍ରିତି ଚୌଧାରୀଙ୍କୁ କାନ୍ଦୁଥିବା ଦେଖାଯାଉଛନ୍ତି। ତାଙ୍କ ସ୍ବାମୀଙ୍କ ପାଇଁ ପ୍ରଚାର ବେଳେ ଜଣେ ବୃଦ୍ଧ ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ଏକ ମହିଳା ଗୋଷ୍ଠୀ ତାଙ୍କୁ ଫୁଲ ମାଳ ପିନ୍ଧାଇ ଦେଇଥିଲେ, ତଥାପି ତାଙ୍କ କାନ୍ଦ ବନ୍ଦ ହୋଇ ନ ଥିଲା।

Share