Categories: ଫୁରସତ

ଗବେଷଣାକୁ ପ୍ରୋତ୍ସାହନରେ ଦକ୍ଷତାର ବିକାଶ

ପ୍ରତିବର୍ଷ ଏପ୍ରିଲ ୧୦ ତାରିଖକୁ ‘ବିଶ୍ୱ ହୋମିଓପ୍ୟାଥି ଦିବସ’ ଭାବରେ ପାଳନ କରାଯାଇଥାଏ। ହୋମିଓପ୍ୟାଥି ଚିକିତ୍ସାର ଜନକ ଡା. ସାମୁଏଲ ହ୍ୟାନିମାନଙ୍କ ଜନ୍ମଦିନକୁ ଏଭଳି ଦିନ ଭାବରେ ପାଳନ କରାଯାଉଛି। ଚଳିତବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-
‘ଗବେଷଣାକୁ ପ୍ରୋତ୍ସାହନ ଦେଇ ଦକ୍ଷତାର ବିକାଶ’। ବର୍ତ୍ତମାନ ବିଭିନ୍ନ ରୋଗର ଚିକିତ୍ସା କ୍ଷେତ୍ରରେ ହୋମିଓପ୍ୟାଥି ଚିକିତ୍ସାର ମଧ୍ୟ ଭୂମିକା ରହିଛି। ”ହୋମିଓପ୍ୟାଥି ଚିକିତ୍ସା କ୍ଷେତ୍ରରେ ସାମୁଏଲ ହ୍ୟାନିମାନଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଏହି ବୈଜ୍ଞାନିକ ଚିକିତ୍ସା ପଦ୍ଧତି ୧୭୯୬ରେ ଜନ୍ମ ନେଇଥିଲା। ଦୀର୍ଘ ବର୍ଷ ଧରି ଏହି ଚିକିତ୍ସା ସମଗ୍ର ବିଶ୍ୱରେ ଜନାଦୃତ ହେବାରେ ସକ୍ଷମ ହୋଇଛି। ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ଦେଶରେ ଏହି ଚିକିତ୍ସା ପ୍ରଣାଳୀ ପ୍ରଚଳିତ। ଏହାକୁ ଆହୁରି ଲୋକାଭିମୁଖୀ କରାଇବା ସହ ଏହି ଚିକିତ୍ସା ବିଜ୍ଞାନରେ ଗବେଷଣା ଏବଂ ଗ୍ରହଣୀୟତା ବଢ଼ାଇବା ଲାଗି ସମସ୍ତେ ଚେଷ୍ଟା କଲେ ଏହି ଚିକିତ୍ସା ପ୍ରଣାଳୀ ଆହୁରି ଲୋକପ୍ରିୟ ହୋଇପାରିବ। ହୋମିଓପ୍ୟାଥିକ ଚିକିତ୍ସା ମାଧ୍ୟମରେ ସାଧାରଣ ରୋଗ-ଥଣ୍ଡା, କାଶ, ଜ୍ୱର ବ୍ୟତୀତ ଜଟିଳ ତଥା ପୁରାତନ ରୋଗ ଯଥା-ଶ୍ୱାସ (ଆଜ୍‌ମା), ଆଣ୍ଠୁଗଣ୍ଠି ସମସ୍ୟା, ଗ୍ୟାଷ୍ଟ୍ରିକ୍‌, ସ୍ନାୟୁ ରୋଗ, ସ୍ପଣ୍ଡିଲୋସିସ, ପକ୍ଷାଘାତ (ପାରାଲିସିସ), ମାନସିକ ରୋଗ ଏବଂ ଜୀବନଶୈଳୀ ସହ ଜଡ଼ିତ ଉଚ୍ଚ ରକ୍ତଚାପ, ମଧୁମେହ (ଡାଇବେଟିସ୍‌)ର ସଫଳ ଚିକିତ୍ସା କରାଯାଇପାରୁଛି। ସବୁଠାରୁ ଖାସ୍‌ କଥା ହେଲା, ଏହି ଚିକିତ୍ସା ହେଉଛି ପାର୍ଶ୍ୱ ପ୍ରତିକ୍ରିୟା ବିହୀନ। ହୋମିଓପ୍ୟାଥିକ ଡାକ୍ତରଙ୍କର ପରାମର୍ଶ ଅନୁସାରେ ଠିକ୍‌ ଭାବରେ ଚିକିତ୍ସିତ ହେଲେ ଚିକିତ୍ସା କରାଯାଉଥିବା ରୋଗର ମୂଳୋତ୍ପାଟନ ସମ୍ଭବ ହୋଇଥାଏ। ତେଣୁ ଦିନକୁ ଦିନ ହୋମିଓପ୍ୟାଥି ଚିକିତ୍ସା ଜାନଦୃତ ହେବାରେ ଲାଗିଛି। ଏହି ଚିକିତ୍ସାରେ ରୋଗୀର ରୋଗକୁ ନୁହେଁ, ବରଂ ରୋଗୀର ଶାରୀରିକ ଏବଂ ମାନସିକ ସ୍ତରର ଅବସ୍ଥାକୁ ଲକ୍ଷଣ ରୂପେ ବିଚାରକୁ ନେଇ ଚିକିତ୍ସା କରାଯାଏ। ସରକାରଙ୍କ ସହାୟତା ଯୋଗୁ ଆମ ଦେଶ ଏବଂ ରାଜ୍ୟରେ ଏହି ଚିକିତ୍ସା ଉତ୍ତମ ବିକଳ୍ପ ଏବଂ ସାହାଯ୍ୟକାରୀ ଚିକିତ୍ସା ପଦ୍ଧତି ଭାବେ ସୁନାମ ପାଇପାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଚିକିତ୍ସାକୁ ମାନ୍ୟତା ଦେବା ଏହି ଚିକିତ୍ସାର ଗୁଣବତ୍ତାକୁ ଦର୍ଶାଉଛି। ତେଣୁ ପ୍ରତିଟି ସ୍ତରରେ ହେଉଥିବା ଗବେଷଣା ଏବଂ ଏହାର ନିର୍ଯାସର ଠିକ୍‌ ବିନିଯୋଗ ହୋଇପାରିଲେ ଏହି ଚିକିତ୍ସାର ପ୍ରଚାର ପ୍ରସାର ଅଧିକ ହୋଇପାରିବ-ଏହା ନିଃସନ୍ଦେହରେ କୁହାଯାଇପାରେ।“
-ଡା. ସୁକାନ୍ତି ସୁଚରିତା ଷଢ଼ଙ୍ଗୀ, ଅଧ୍ୟାପିକା, ବିଜୁ ପଟ୍ଟନାୟକ ହୋମିଓପ୍ୟାଥି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ, ବ୍ରହ୍ମପୁର

Share