କେପ ଭର୍ଡେରେ ମଝି ସମୁଦ୍ରରେ ଡଙ୍ଗା ବୁଡ଼ି: ୬୩ରୁ ଅଧିକ ମୃତ…

ପ୍ରାଲା,୧୭।୮ : ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଉପକୂଳରୁ ସେନେଗାଲରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝି ସମୁଦ୍ରରେ ବୁଡ଼ିଯାଇଛି। ପରେ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଅନ୍ତର୍ଜାତୀୟ ମାଇଗ୍ରେଶନ ସଂଗଠନ (ଆଇଓଏମ) ବୁଧବାର ଏହି ସୂଚନା ଦେଇଛି। ଆଇଓଏମ ମୁଖପାତ୍ର ସଫା ମାସେହଲି ଗଣମାଧ୍ୟମକୁ କହିଛନ୍ତି ଏହି ଦୁର୍ଘଟଣାରେ ୬୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଛୋଟ ପିଲା ଅଛନ୍ତି ।

ପୋଲିସ କହିଛି କେପ ଭର୍ଡେ ଦ୍ୱୀପପୁଞ୍ଜଠାରୁ ପ୍ରାୟ ୧୫୦ ନ୍ୟୁଟିକାଲ ମାଇଲ (୨୭୭ କିଲୋମିଟର) ଦୂରରେ ଆଟଲାଣ୍ଟିକ ମହାସାଗରରେ ଡଙ୍ଗା ଦେଖିବାକୁ ମିଳିଛି। ଏକ ସ୍ପେନୀୟ ଜାହାଜ ଏହାକୁ ଦେଖି ଏହା ପରେ ଏହାର ସୂଚନା ଶେୟାର କରି କେପ ଭର୍ଡେନ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଥିଲା ।

କେପ ଭର୍ଡେ ଦ୍ୱୀପପୁଞ୍ଜ ସ୍ପେନ କାନାରି ଦ୍ୱୀପପୁଞ୍ଜର ପ୍ରାୟ ୬୦୦କିଲୋମିଟର (୩୫୦ ମାଇଲ) ଦୂରରେ ଅବସ୍ଥିତ, ୟୁରୋପୀୟ ୟୁନିଅନର ପ୍ରବେଶ ଦ୍ୱାର। ଆଇଓଏମ ମୁଖପାତ୍ର ମାସହେଲି କହିଛନ୍ତି ଜରୁରୀକାଳୀନ ସେବା ପକ୍ଷରୁ ସାତ ଜଣଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ୫୬ ଜଣ ନିଖୋଜ ଥିବା ତାଲିକାଭୁକ୍ତ ହୋଇଛି। ସେ କହିଛନ୍ତି ସାଧାରଣତଃ ଯେତେବେଳେ ଡଙ୍ଗା ଦୁର୍ଘଟଣା ପରେ ଲୋକମାନେ ନିଖୋଜ ହୋଇଥିବାର ଖବର ମିଳିଥାଏ, ସେତେବେଳେ ସେମାନେ ମୃତ ବୋଲି ଅନୁମାନ କରାଯାଏ।

ଉଦ୍ଧାର ହୋଇଥିବା ଲୋକଙ୍କ ସମ୍ପର୍କରେ ସେନେଗାଲର ବୈଦେଶିକ ମନ୍ତ୍ରଣାଳୟ କହିଛି ଡଙ୍ଗାଟି ଜୁଲାଇ ୧୦ରେ ୧୦୧ ପ୍ରବାସୀଙ୍କୁ ନେଇ ସେନେଗାଲର ଫାସେ ବୋଇ ଛାଡି ଥିଲା।

 

Share