କୃଷ୍ଣ ଆରାଧନାରେ ବିଭୋର ରାଜଧାନୀବାସୀ

ଭୁବନେଶ୍ୱର,୭।୯(ଅନୁରାଧା ମହାରଣା)ଚଳିତବର୍ଷ କେତେକ ସ୍ଥାନରେ ଗୁରୁବାର ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଥିବାବେଳେ ଅଧିକାଂଶ ରାଜଧାନୀବାସୀ ବୁଧବାର ଏହି ପର୍ବ ପାଳନ କରିଛନ୍ତି। ତେଣୁ ରାଜଧାନୀର ବିଭିନ୍ନ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆୟୋଜନ କରାଯିବା ସହ ଶ୍ରଦ୍ଧାଳୁ କୃଷ୍ଣ ଆରାଧନାରେ ବିଭୋର ହୋଇପଡ଼ିଛନ୍ତି। ବିଭିନ୍ନ ମନ୍ଦିରରେ ଭଗବାନ ଗୋପାଳଙ୍କ ଅଭିଷେକ କରାଯିବା ପୂର୍ବକ ସୁଗନ୍ଧିତ ତେଲରେ ପଞ୍ଚାମୃତ ସ୍ନାନ କରାଯାଇଥିଲା। ପରେ ଫଳୋଦକ ସ୍ନାନ ଏବଂ ପବିତ୍ର ନଦୀରୁ ଆସିଥିବା ଜଳରେ ସ୍ନାନ ବିଧି କରାଯାଇଛି। ଭଗବାନଙ୍କର ମହା ମଙ୍ଗଳ ଆରତୀ ଠାରୁ ଆରମ୍ଭ କରି ଛପନ ଭୋଗ ଅର୍ପଣ ଆଦି ନୀତି ବିଧିମୁତାବକ କରାଯାଇଛି। ଶ୍ରୀକୃଷ୍ଣ ଜନ୍ମନୀତି ପାଳନ କରିବା ପାଇଁ ମଧ୍ୟରାତ୍ରି ପର୍ଯ୍ୟନ୍ତ ସହର ଚଳଚଞ୍ଚଳ ହୋଇପଡ଼ିଥିଲା। ଇସ୍କନ ଏବଂ ରାମମନ୍ଦିର ସହିତ ପ୍ରାୟ ୧୦ରୁ ଅଧିକ ସ୍ଥାନରେ ଜନ୍ମାଷ୍ଟମୀ ପାଳନ ହୋଇଥିଲା। ଏହି ଅବସରରେ ପ୍ରବଚନ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଇସ୍କନ ମନ୍ଦିରରେ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରରେ ରୀତିନୀତି ଅନୁସାରେ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା। ଗୁରୁବାର ବୈଷ୍ଣବ ମତରେ ଜନ୍ମାଷ୍ଟମୀ ପାଳନ କରାଯବ। ୮ ତାରିଖରେ ନନ୍ଦ ଉତ୍ସବ ସହିତ ପ୍ରଭୁପାଦଙ୍କ ୧୨୭ତମ ଶୁଭ ଆର୍ବିଭାବ ଦିବସ ପାଳନ କରାଯିବ। ସକାଳୁ ଗୁରୁପୂଜା ସହିତ ତାଙ୍କର ଗୁଣକୀର୍ତ୍ତନ କରାଯିବ। ଏହାବ୍ୟତୀତ ୫ ଲୋକଙ୍କୁ ନିମନ୍ତେ ପ୍ରସାଦ ବ୍ୟବସ୍ଥା କରାଯିବ। ସେହିପରି ଆଜି ଜନ୍ମାଷ୍ଟମୀରେ ରାଜଧାନୀରେ ହଜାର ହଜାର ଶ୍ରଦ୍ଧାଳୁ ଇସ୍କନରେ ଦର୍ଶନ କରିଥିଲେ। ରାତି ୧୨ଟା ପର୍ଯ୍ୟନ୍ତ ମଧ୍ୟ ଭକ୍ତଙ୍କ ଭିଡ କମିନଥିଲା। ଭିଡ଼କୁ ଦୃଷ୍ଟିରେ ରଖି ବିଏମସି ୱାଟକୋ, ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ମହିଳା ପୁଲିସ ମୁତୟନ କରାଯାଇଥିଲା ବୋଲି ଇସ୍କନ ରାଜ୍ୟ ପ୍ରସାର ଅଧିକାରୀ ରାଧାକାନ୍ତ ଦାସ ସୂଚନା ଦେଇଛନ୍ତି। ସେହିପରି ରାମମନ୍ଦିରରେ ମଧ୍ୟ ରୀତିନୀତି ଆଧାରରେ ଜନାଷ୍ଟମୀ ପାଳନ କରାଯାଇଥିଲା। ଶୃଙ୍ଖଳିତଭାବେ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ସେହିପରି କୋଳଥିଆସ୍ଥିତ ଜଗନ୍ନାଥ ମନ୍ଦିର ସମେତ ସହରର ଅନ୍ୟ ଜଗନ୍ନାଥ ଓ ରାମମନ୍ଦିରରେ ଧୁମଧାମରେ ଏହି ପର୍ବ ପାଳନ କରାଯାଇଛି।

Share