ଚଣ୍ଡିଗଡ଼,୨୧ ।୧୧: ପଞ୍ଜାବରେ ଲାଗି ରହିଥିବା ରାଜନୈତିକ ଟଣାଭିଡା ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଟିଆଲାରୁ ୨୦୨୨ ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଟୁଇଟରରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି । ପଟିଆଲା ପଞ୍ଜାବର ସବୁଠାରୁ ସ୍ୱଚ୍ଛ ସହର ହୋଇଥିବାରୁ କ୍ୟାପଟେନ ପଟିଆଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅମରିନ୍ଦର କହିଛନ୍ତି ତାଙ୍କ ପରିବାର ୪୦୦ ବର୍ଷ ହେବ ପଟିଆଲାରେ ରହି ଆସୁଛନ୍ତି ତେଣୁ ସେ ପଟିଆଲାରୁ ନିର୍ବାଚନ ଲଢିବେ । ସିଦ୍ଧୁଙ୍କ ପାଇଁ ସେ ପଟିଆଲା ଛାଡି ପାରିବେ ନାହିଁ । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ଘୋଷଣା କରିବା ପରେ କ୍ୟାପଟେନ କହିଥିଲେ ଭାରତୀୟ ଜନତା ପାର୍ଟି(ଭାଜପା) ସହ କାମ କରିବାକୁ ମୁଁ ଉତ୍ସାହିତ ଅଛି । ଏଥିରୁ ଅନୁମାନ ଲଗାଯାଇଛି କି କ୍ୟାପଟେନଙ୍କ ନୂଆ ଦଳ ଭାଜପା ସହ ଆଗାମୀ ବିଧାନସଭା ନିର୍ବାଚନରେ ମେଣ୍ଟ କରିପାରେ ।