Categories: ଜାତୀୟ

ନୂଆ ରାଜନୈତିକ ଦଳ ଗଠନ ସମ୍ପର୍କରେ ଘୋଷଣା କଲେ କ୍ୟାପଟେନ୍‌…

ଚଣ୍ଡିଗଡ଼,୨୭।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ନୂଆ ରାଜନୈତିକ ଦଳ ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି। ତେବେ ଏହାର ନାମ କରଣ ଶୀଘ୍ର ହେବ ବୋଲି କ୍ୟାପଟେନ୍‌ ସୂଚନା ଦେଇଛନ୍ତି। ଅନୁଷ୍ଟିତ ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ସେ ତାଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟରେ ହୋଇଥିବା ଉନ୍ନତିମୂଳକ ପଦକ୍ଷେପ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି।

ନୂଆ ଦଳ ରାଜ୍ୟରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଜପା ସହିତ ମେଣ୍ଟ କରିବ କି ନାହିଁ ସେ ସମ୍ପର୍କରେ କ୍ୟାପଟେନ୍‌ କୌଣସି ସୂଚନା ପ୍ରଦାନ କରି ନାହାନ୍ତି।

ତାଙ୍କ ସହିତ ଯୋଗାଯୋଗରେ ରାଜ୍ୟର ବହୁ କଂଗ୍ରେସ ନେତା ରହିଥିବା ସେ ପ୍ରକାଶ କରିଛନ୍ତି। ଭାରତୀୟ ନିର୍ବାଚନ କମିଶନ ରାଜନୈତିକ ଦଳର ନାମ ଏବଂ ଚିହ୍ନ ମଞ୍ଜୁର କରିବା ପରେ ଏସମ୍ପର୍କରେ ପରବର୍ତ୍ତୀ ସୂଚନା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଏହା ସହିତ କ୍ୟାପଟେନ୍‌ ରାଜ୍ୟର ନୂଆ କଂଗ୍ରେସ ସରକାର ଏବଂ ନଭଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ଘେରିଛନ୍ତି। ତାଙ୍କ ଦଳ ବିଧାନସଭା ନିର୍ବାଚନରେ ସମସ୍ତ ୧୧୭ ଆସନରେ ପ୍ରାର୍ଥୀ ଦେବ। ସେହିପରି କୃଷକ ଆନ୍ଦୋଳନ ସମ୍ପର୍କରେ ସେ କହିଛନ୍ତି ଯେ, ୨୫-୩୦ ଜଣ ସଦସ୍ୟଙ୍କୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଗୁରୁବାର ଭେଟିବାର କାର୍ଯ୍ୟକ୍ରମ ରହିଛି।

Share