Categories: ଖେଳ

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ‘କ୍ୟାପଟେନ୍ସ ଡେ’

ଅହମଦାବାଦ,୫ା୧୦(ପି.ଟି.): ଭାରତରେ ଖେଳାଯିବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ବୁଧବାର ପାଳିତ ହୋଇଛି ‘କ୍ୟାପଟେନ୍ସ ଡେ’। ପ୍ରଥମ ଥର ପାଇଁ ବିନା ଉଦ୍‌ଘାଟନୀ ସମାରୋହରେ ଏହି ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ସମସ୍ତ ୧୦ ଦଳର ଅଧିନାୟକ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ‘କ୍ୟାପଟେନ୍ସ ଡେ’ ପାଳନ କରିଥିଲେ। ରୋହିତ ଶର୍ମା, ଟେମ୍ବା ବଭୁମା, ପ୍ୟାଟ୍‌ କୁମିନ୍ସ, ସ୍କଟ ଏଡଓ୍ବାଡର୍‌ସ, କେନ୍‌ ଓ୍ବିଲିୟମସନ, ହଶମତୁଲ୍ଲା ଶାହିଦି, ଜୋଶ ବଟଲର, ବାବର ଆଜମ, ଦସୁନ ଶନକା ଓ ଶକିବ ଅଲ୍‌ ହାସନ ୧୦ ଦଳର ଅଧିନାୟକ ଭାବରେ ଅଂଶଗ୍ରହଣ କରିଥିଲେ। ପୂର୍ବତନ ଭାରତୀୟ ଖେଳାଳି ରବି ଶାସ୍ତ୍ରୀ ଓ ଇଂଲଣ୍ଡର ଇଓନ ମୋର୍ଗାନ ହୋଷ୍ଟ ଭାବରେ ସମସ୍ତ ଦଳର ଖେଳାଳିଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସମସ୍ତ ୧୦ ଦଳର ଅଧିନାୟକ ଆସନ୍ତା ୬ ସପ୍ତାହର କ୍ରିକେଟକୁ ନେଇ ନିଜର ମତ ମଧ୍ୟ ରଖିଥିଲେ।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏହି ଟୁର୍ନାମେଣ୍ଟକୁ ନେଇ ଆଶାବାଦୀ ଥିବା କହିଛନ୍ତି। ମୁଁ ଦିନିକିଆ କ୍ରିକେଟର ଫ୍ୟାନ ବୋଲି ଆରମ୍ଭରୁ କହି ଆସିଛି। ଶୈଶବରୁ ଏହାକୁ ନେଇ ମୁଁ ସ୍ବପ୍ନ ଦେଖୁଥିବା ବେଳେ ଅଧିନାୟକ ଭାବେ ଅଂଶଗ୍ରହଣ କରିବା ମୋ ପାଇଁ ସ୍ବତନ୍ତ୍ର। ଏଠାରେ ଥିବା ସମସ୍ତ ଅଧିନାୟକ ନିଜ ଦଳ ପାଇଁ ଶ୍ରେଷ୍ଠ ସଫଳତା ହାସଲ କରିବାକୁ ପ୍ରୟାସ କରିବେ। ସମସ୍ତ ଦଳ ବିଜୟୀ ହେବାକୁ ପ୍ରୟାସ କରିବେ ତେବେ ଭାରତ ଘରୋଇ ପରିବେଶର ଫାଇଦା ଉଠାଇବାକୁ ପ୍ରୟାସ କରିବ। ଏହି ଟୁର୍ନାମେଣ୍ଟକୁ ଭାରତୀୟ ଦର୍ଶକଙ୍କ ପକ୍ଷରୁ ଢେରସାରା ଭଲପାଇବା ମିଳିବା ନେଇ ସେ ଆଶା କରିଛନ୍ତି। ଭାରତୀୟ ମାନେ କେବଳ ଭାରତୀୟ କ୍ରିକେଟ ଦଳକୁ ନୁହେଁ ବରଂ କ୍ରିକେଟକୁ ଭଲ ପାଆନ୍ତି। ତେଣୁ ଆସନ୍ତା କ୍ରିକେଟ ବିଶ୍ୱକପରେ କେବଳ ଭାରତ ମ୍ୟାଚ୍‌ ନୁହେଁ ବରଂ ସମସ୍ତ ମ୍ୟାଚ ଗୁଡିକରେ ଷ୍ଟାଡିୟମ ଫୁଲ ରହିବା ନେଇ ସେ ପୂର୍ବାନୂମାନ କରିଛନ୍ତି।

Share