Categories: ଗଞ୍ଜାମ

କାର୍‌ ଧକ୍କାରେ ଦଣ୍ଡନାଚ ପାର୍ଟିର ପାଟଭୁକ୍ତାଙ୍କ ଜୀବନ ଗଲା

ଛତ୍ରପୁର,୬ା୪(ଦିଲ୍ଲୀପ ସାମଲ): କାର୍‌ ଧକ୍କାରେ ବରଦା ଦଣ୍ଡନାଚ ପାର୍ଟିର ପାଟଭୁକ୍ତାଙ୍କ ମୃତ୍ୟୁ ଘଟିଛି। ମୃତ ପାଟଭୁକ୍ତା ଜଣକ ହେଲେ ଗଞ୍ଜାମ ବ୍ଲକ ବରଦା ଗ୍ରାମର କୃଷ୍ଣ ମହାପାତ୍ର।

ପୋଲିସ ସୂଚନାନୁସାରେ, ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଛକ ଜାତୀୟ ରାଜପଥଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର୍‌ ଧକ୍କାରେ ପାଟଭୁକ୍ତାଙ୍କ ମୃତ୍ୟୁ ଘଟିଛି। ବରଦା ଦଣ୍ଡନାଚ ପାର୍ଟି ଖୋଡ଼ାସିଙ୍ଗିଠାରେ ନାଚ ସାରି ସମସ୍ତ ଭୁକ୍ତାଙ୍କ ସହିତ ପାଟଭୁକ୍ତା ଛତ୍ରପୁର ଅଭିମୁଖେ ଚାଲି ଚାଲି ଆସୁଥିବା ବେଳେ ପାଟଭୁକ୍ତାଙ୍କୁ ଏକ କାର୍‌ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ହାଇଓ୍ବେ ପାଟ୍ରୋଲିଂ ପୋଲିସ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ସେହିପରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ କେସ୍‌ ନଂ ୧୪୧/୨୪ ରେ ଏକ ମାମଲା ରୁଜୁ କରି କାର୍‌କୁ ଜବତ କରିଛି।