କାର୍‌-ବାଇକ୍‌ ମୁହାଁମୁହିଁ: ୨ ମୃତ, ଦୁଇ ଗୁରୁତର

ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଗୋପାଳପୁରଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ତଗାକିଆ ନିକଟରେ କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ ପହଞ୍ଚି ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ୱାରା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। କାର୍‌ ନଂ. ଓଆର-୦୨-ଏଏକ୍ସ-୦୯୫୧ ଉମରକୋଟରୁ ଭୁବନେଶ୍ୱର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। କାର୍‌ରେ ବସିଥିବା ଉମରକୋଟର ଉଦୟନାଥ ମହାପାତ୍ର (୮୦) ଓ ବାଇକ୍‌ ଆରୋହୀ କଳାହାଣ୍ଡି ଜିଲାର ଲଣ୍ଡ୍ରୁସୁଗା ଗ୍ରାମର ରକି ଦିଗାଲ (୪୦)ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ବାଲିଗୁଡ଼ା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି।