Categories: ଜାତୀୟ

କାର ବୋମା ସନ୍ଦେହରେ ମେହବୁବାଙ୍କ ସମ୍ମିଳନୀକୁ ମିଳିଲାନି ଅନୁମତି

ଶ୍ରୀନଗର,୧୨।୧୨: କାର ବୋମା ସନ୍ଦେହ ଏବଂ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପ୍ରଶାସନ ରବିବାର ହେବାକୁ ଥିବା ପିଡିପିର ଯୁବ ସମ୍ମିଳନୀକୁ ଅନୁମତି ଦେଇନାହିଁ। ଏଥିସହିତ ଦଳ ଅଧ୍ୟକ୍ଷା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କୁ ଗୃହବନ୍ଦୀ କରାଯାଇଛି।

ପିଡିପିର ବୈଠକ ବେଳେ ଜନସାଧାରଣଙ୍କୁ ଟାର୍ଗେଟ କରି ବୋମ ଆକ୍ରମଣ ହୋଇପାରେ ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଏନେଇ ସମ୍ମିଳନୀ କରିବାକୁ ଅନୁମତି ଦିଆଯାଇ ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ରବିବାର ମେହବୁବାଙ୍କ ଗୁପ୍‌କାର ବାସଭବନରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହେବାର ଥିଲା। ମେହବୁବା ଏଥିରେ ଯୁବନେତାମାନଙ୍କ ସହ ଆଲୋଚନା କରିଥାନ୍ତେ। ଏଥିପାଇଁ ପ୍ରଶାସନ ଅନୁମତି ଦେଲେ ନାହିଁ ବୋଲି ଜଣେ ପିଡିପି ନେତା କହିଛନ୍ତି। ଯୁବକମାନଙ୍କୁ ଶକ୍ତିହୀନ କରିବା ଲାଗି ସରକାର ନୂଆ ବାଟ ବାଛିଛନ୍ତି। ସରକାର ଯୁବକମାନଙ୍କୁ ଗଣତନ୍ତ୍ରଠାରୁ ଦୂରେଇ ରଖିବାକୁ ଚାହାନ୍ତି, ଯାହା ଫଳରେ ସେମାନେ ହିଂସା ମାର୍ଗରେ ଯିବେ ଏବଂ ସହଜରେ ମୃତ୍ୟୁର ଶିକାର ହେବେ କିମ୍ବା ଜେଲ୍‌ ଯିବେ। ୩ ବର୍ଷ ହେଲା ଯୁବକମାନଙ୍କୁ ଘରୁ ବାହାରିବାକୁ ଦିଆଯାଉ ନ ଥିବା ମେହବୁବା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।

Share