କାର୍‌ର ସନରୁଫ୍‌ ଖୋଲି ନାଚୁଥିଲେ କନ୍ୟା, ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ଗାଡ଼ି; ଭିଡିଓ ଦେଖିଲେ..

ମୁଜାଫରନଗର: ଆଜିକାଲି ସମୟରେ ବିବାହରେ କନ୍ୟାମାନଙ୍କର ନାଚିବା ସାଧାରଣ କଥାରେ ପରିଣତ ହେଲାଣି। ହେଲେ ବେଳେବେଳେ ଖୁସିର ମୂହୁର୍ତ୍ତ ଯନ୍ତ୍ରଣାଦାୟକ ଦୁର୍ଘଟଣାର ସାକ୍ଷୀ ପାଲଟେ। ସେଭଳି ଏକ ଘଟଣା ମୁଜାଫରନଗରରେ ଏକ ବିବାହ ସମାରୋହରେ ଘଟିଛି। ଏକ ସୁସଜ୍ଜିତ କାର୍‌ରେ କନ୍ୟା ନାଚିନାଚି ବିବାହସ୍ଥଳକୁ ଯାଉଥିଲେ। କାର୍‌ର ଉଭୟ ପାର୍ଶ୍ୱରେ ଅତିଥିମାନେ ଘେରି ରହିଥିଲେ। ହେଲେ ହଠାତ୍‌ ଏକ କାର୍‌ ଦ୍ରୁତ ଗତିରେ ଆସି ଗୋଟିଏ ପାର୍ଶ୍ୱର ଲୋକମାନଙ୍କ ଉପରେ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ଦୁଇଜଣ ପ୍ରାଣ ହରାଇଥିଲେ। ଏହି ଦୁର୍ଭାଗ୍ୟଜନକ ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି।

ମଙ୍ଗଳବାର ମୁଜାଫରନଗର ନୂଆ ମଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି। ଅଞ୍ଚଳର ହେମାଙ୍କ ବିବାହ ଅଙ୍କୁର ନାମକ ଜଣେ ଯୁବକଙ୍କ ସହ ହେଉଥିଲା। ସେ କାର୍‌ରେ ଡେରାଡୁନ୍‌ ରାଜମାର୍ଗରେ ଥିବା ବିବାହ ଉତ୍ସବସ୍ଥଳରେ ପହଞ୍ଚିବାକୁ ଯାଉଥିଲେ। ଏହି ସମୟରେ ବରଯାତ୍ରୀମାନଙ୍କୁ ନାଚୁଥିବା ଦେଖିଥିଲେ। ପରେ ସେ କାର୍‌ର ସନରୁଫ୍‌ ଖୋଲି ନାଚିବା ଆରମ୍ଭ କରିଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ସେଠାରେ ଥିବା ଲୋକଙ୍କ ଉପରେ ମାଡି ଯାଇଥିଲା।

ଅଙ୍କୁରଙ୍କ ସମ୍ପର୍କୀୟ ଭାଇ ପ୍ରମୋଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେଠାରେ ଆଉ ଜଣେ ଅତିଥି ଆଖି ବୁଜିଥିଲେ। ଏଭଳି ଦୁଃଖଦ ଘଟଣା କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଏକ କାର ଅତିଥିମାନଙ୍କ ଉପରେ ଚଢ଼ି ଯାଉଥିବା ଦେଖାଯାଇଛି। ତେବେ ପୋଲିସ ଘଟଣାସ୍ଥଳରୁ ଗାଡ଼ିକୁ ଜବତ କରିଥିବା ବେଳେ ଡ୍ରାଇଭର ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Share