ଅପହରଣ ନୁହେଁ ଦୁର୍ଘଟଣା: କୂଅରେ ଖସିପଡ଼ିଥିଲା କାର୍‌, ୪ ମୃତ

ଉମରକୋଟ,୧୨ା୧୨(ସ୍ବ.ପ୍ର.): ଛତିଶଗଡ଼ର କାଙ୍କେରରୁ ଭୋଜିଖାଇ ଫେରୁଥିବା ୪ ଜଣଙ୍କୁ ଶନିବାର ରାତିରେ ଅପହରଣ କରାଯାଇଥିବା ସନ୍ଦେହ ଭୁଲ୍‌ ପ୍ରମାଣିତ ହୋଇଛି। ଅପହରଣ ନୁହେଁ ଏହା ଏକ ଦୁର୍ଘଟଣା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩୦ ନମ୍ବର ଜାତୀୟ ରାଜପଥରେ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାପାର୍ଶ୍ୱ ପରିତ୍ୟକ୍ତ କୂଅ ମଧ୍ୟରେ ଖସିପଡ଼ିବା ଫଳରେ ଗାଡ଼ିରେ ଥିବା ସମସ୍ତ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନବରଙ୍ଗପୁର ଜିଲା ଉମରକୋଟର ସପନ ସରକାର, ତାଙ୍କର ସ୍ତ୍ରୀ ରୀତା ସରକାର, ଛତିଶଗଡ଼ କଣ୍ଡାଗାଁ ଅଞ୍ଚଳର ସପନଙ୍କ ଶାଳକ ବିଶ୍ୱଜିତ ଅଧିକାରୀ ଏବଂ ପଡ଼ୋଶୀ ହଜାରି ଢାଲି। ସପନଙ୍କ ଘର ଉମରକୋଟ ଡିଏନ୍‌କେ ଅଞ୍ଚଳରେ ହୋଇଥିବାବେଳେ ସେ ରାଇଘର ତହସିଲରେ ସୁପରଭାଇଜର ଥିଲେ।
ସୂଚନା ଅନୁଯାୟୀ, ସପନଙ୍କ ସମେତ ୪ ଜଣ ଶନିବାର ଏକ ବିବାହ ଭୋଜିରେ ଯୋଗ ଦେବାପାଇଁ କାର୍‌(ଓଡି ୨୪ ସି ୧୭୦୫) ଯୋଗେ କାଙ୍କେର ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ରାତିରେ କଣ୍ଡାଗାଁ ସ୍ଥିତ ଶାଳକଙ୍କ ଘରେ ରାତ୍ରିଯାପନ ପାଇଁ ଫେରୁଥିଲେ। ରବିବାର ସକାଳେ ସେମାନେ ଉମରକୋଟ ଫେରିବାର ଥିଲା। ସପନଙ୍କ ସମେତ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ଆଉ ଦୁଇଟି କାର୍‌ରେ ଭୋଜିରୁ କଣ୍ଡାଗାଁ ଫେରୁଥିଲେ। ହେଲେ ଅନ୍ୟ ଦୁଇ କାର୍‌ ରାତିରେ କଣ୍ଡାଗାଁରେ ପହଞ୍ଚିଥିଲେ ମଧ୍ୟ ସପନ ପହଞ୍ଚତ୍ ନ ଥିଲେ। ପରିବାର ଲୋକେ ସପନଙ୍କ ସମେତ ତାଙ୍କ ଗାଡ଼ିରେ ଥିବା ଅନ୍ୟ ୩ ଜଣଙ୍କ ମୋବାଇଲକୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ସପନଙ୍କ ପୁଅ ନବୋଜିତ ଖବର ପାଇ ରବିବାର କଣ୍ଡାଗାଁ ଯାଇ ସମ୍ପର୍କୀୟଙ୍କ ଶହ ମିଶି ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ମିଳିବାରୁ ସେମାନଙ୍କୁ ମାଓବାଦୀ ଅପହରଣ କରି ନେଇଥିବା ସନ୍ଦେହ କରିଥିଲେ। ସମ୍ପର୍କୀୟ ରୀନା ଦତ୍ତ କାଙ୍କେର ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ। କାଙ୍କେର ପୋଲିସ ମୋବାଇଲ ଟ୍ରାକ୍‌ କରିବାରୁ ଜାତୀୟ ରାଜପଥ ପାର୍ଶ୍ୱ ପେଟ୍ରେଲ ପମ୍ପଠାରୁ ୫ କି.ମି. ପରେ କାର୍‌ରେ ଥିବା ସମସ୍ତଙ୍କ ମୋବାଇଲ ବନ୍ଦ ହୋଇଥିବା ଜାଣିବାକୁ ପାଇଥିଲା। ଉକ୍ତ ସ୍ଥାନକୁ ଯାଇ ତଦନ୍ତବେଳେ ରାସ୍ତାପାର୍ଶ୍ୱ ଜମିରେ ଥିବା ପରିତ୍ୟକ୍ତ କୂଅରେ ସପନଙ୍କ କାର୍‌ ଖସି ପଡ଼ିଥିବା ଦେଖିଥିଲେ। ଛତିଶଗଡ଼ ଅଗ୍ନିଶମ ବାହିନୀ ଏବଂ ପୋଲିସର ମିଳିତ ଉଦ୍ୟମରେ ସମ୍ପର୍କୀୟଙ୍କ ଉପସ୍ଥିତିରେ କ୍ରେନ୍‌ ସହାୟତାରେ କୂଅରୁ କାର୍‌ଟିକୁ ବାହାର କରାଯାଇଥିଲା। ବନ୍ଦ କାର୍‌ ମଧ୍ୟରେ ବସିଥିବା ଅବସ୍ଥାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା।

Share