Categories: ଜାତୀୟ

ଜଗନ୍ନାଥମୟ ଦିଲ୍ଲୀ

ନୂଆଦିଲ୍ଲୀ,୨।୭: କୋଟି କୈବଲ୍ୟନାଥ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଭାରତର ରାଜଧାନୀ ଦିଲ୍ଲୀରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଧାର୍ମିକ ରୀତିନୀତି ଅନୁଯାୟୀ ମହା ଆଡ଼ମ୍ବରରେ ପାଳିତ ହୋଇଛି। ମହାମାରୀ କରୋନା ପାଇଁ ଦୁଇବର୍ଷ ଧରି ଏଠାରେ ରଥଯାତ୍ରା ବନ୍ଦ ରହି ଥିବାରୁ ଚଳିତବର୍ଷ ବହୁ ସଂଖ୍ୟକ ଓଡ଼ିଆ ସମେତ ବିଭିନ୍ନ ପ୍ରାନ୍ତରରୁ ଭକ୍ତମାନେ ଏଥିରେ ସାମିଲ ହୋଇ ରଥ ଟାଣିଥିଲେ। ଦିଲ୍ଲୀର ପ୍ରସିଦ୍ଧ ହଜଖାସସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରାୟ ୪୦ ହଜାର ଭକ୍ତଙ୍କ ସମାଗମ ହୋଇଥିବାବେଳେ ତ୍ୟାଗରାଜନଗର ରୋହିଣୀ, ଶାହଦରା, ଫରିଦାବାଦ, ନୋଏଡା ଏବଂ ଗୁରୁଗ୍ରାମରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଯୋଗଦେଇଥିଲେ। ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ହଜନ୍ୟାସ ଜଗନ୍ନାଥ ମନ୍ଦିରକୁ ସକାଳ ୫ଟାରୁ ଆସି ପୂଜାର୍ଚ୍ଚନା କରିଥିଲେ। ଏଠାରେ ନୀଳାଚଳ ସେବାସଂଘର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଛେରାପହଁରା କରିଥିଲେ। ଦିଲ୍ଲୀର ବିଭିନ୍ନ ସ୍ଥାନରେ ରଥଟଣା ହୋଇଥିବାରୁ ସମଗ୍ର ସହର ଜଗନ୍ନାଥମୟ ହୋଇ ଉଠିଥିଲା।

Share