Categories: ବାଣିଜ୍ୟ

ଅକ୍ଟୋବରରେ ୪୮% ବୃଦ୍ଧି ପାଇଛି ଗାଡ଼ି ବିକ୍ରି

ନୂଆଦିଲ୍ଲୀ, ୮।୧୧: ଚଳିତ ବର୍ଷର ପାର୍ବଣ ଅବସରରେ ଗାଡିର ଖୁଚୁରା ବିକ୍ରି ଆଶାତୀତ ଭାବେ ବୃଦ୍ଧି ପାଇଛି। ବିଶେଷକରି ଚଳିତ ବର୍ଷ ଅକ୍ଟୋବରରେ ଗାଡି ବିକ୍ରି ୪୮% ବୃଦ୍ଧି ପାଇଥିବା ଫେଡେରେଶନ୍‌ ଅଫ୍‌ ଅଟୋ ମୋବାଇଲ୍‌ ଡିଲର୍ସ ଆସୋସିଏଶନ୍‌ (ଫାଡା) ପକ୍ଷରୁ ସୋମବାର ଜାରି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପରିକି ଚଳିତ ବର୍ଷ ଅକ୍ଟୋବରରେ ୨୦,୯୪,୩୭୮ ୟୁନିଟ୍‌ ଯାନବାହନ ବିକ୍ରି ହୋଇଥିଲା। ହେଲେ ଗତବର୍ଷ ଏହି ଅବଧି ମଧ୍ୟରେ ୧୪,୧୮,୭୨୬ ୟୁନିଟ୍‌ ଥିଲା। ଗତ ବର୍ଷର ବିକ୍ରି ତୁଳନାରେ ଚଳିତ ବର୍ଷର ବିକ୍ରି ପରିମାଣ ୪୮% ଅଭିବୃଦ୍ଧି କରିଛି। ସେହିପରି ୨୦୧୯ରେ ମଧ୍ୟ ୧୯,୩୩,୪୮୪ ୟୁନିଟ୍‌ ଗାଡି ବିକ୍ରି ହୋଇଥିଲା। ୨୦୧୯ର ବିକ୍ରି ତୁଳନାରେ ୨୦୨୨ ଅକ୍ଟୋବରର ବିକ୍ରି ୮% ଅଧିକ ରହିଛି। ସେହିଭଳି ୨୦୧୯ ପ୍ରି-କୋଭିଡ଼୍‌ ମାସ ସହ ତୁଳନା କଲେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁ ଯାନବାହନ ବିକ୍ରି ୮% ବୃଦ୍ଧି ପାଇଛି ବୋଲି ଫାଡାର ସଭାପତି ମନୀଷ ରାଜ ସିଘାଂନିଆ ମତ ପ୍ରକାଶ କରିଛନ୍ତି। ଅପରପକ୍ଷରେ ୨୦୨୨ ଅକ୍ଟୋବରରେ ୨ ଚକିଆ ଯାନ ବିକ୍ରି ୫୧% ହୋଇଥିବା ବେଳେ ୩ ଚାକିଆ ଯାନ ବିକ୍ରି ୬୬%, ଯାତ୍ରୀବାହୀ ଯାନ ୪୧%, ଟ୍ରାକ୍ଟର ୧୭ % ଏବଂ ବାଣିଜ୍ୟଭିତ୍ତିକ ଯାନ ୨୫% ବୃଦ୍ଧି ପାଇଥିବା ଜଣାପଡିଛି।
ଏ ସମ୍ପର୍କରେ ଫାଡାର ସଭାପତି କହିଛନ୍ତି, ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ଅଟୋ ଶିଳ୍ପ ପୂର୍ବ ବର୍ଷ ଅପେକ୍ଷା ଭଲ ବ୍ୟବସାୟ କରିଛି। ପ୍ରଥମ ଥର ପାଇଁ ପ୍ରତ୍ୟେକ ବର୍ଗର ଗ୍ରାହକମାନେ ବହୁଳ ସଂଖ୍ୟାରେ ବଜାରକୁ ଆସି ଯାନବାହନ କିଣିଥିଲେ। ତେଣୁ ବିଗତ ୪ବର୍ଷ (୨୦୧୯-୨୨) ମଧ୍ୟରେ ଯାନବାହନ ବିକ୍ରି ସର୍ବୋତ୍ତମ ହୋଇପାରିଥିଲା ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୨୧ ଅକ୍ଟୋବରରେ ଟ୍ରାକ୍ଟର ବିକ୍ର ୪୫,୪୪୫ ୟୁନିଟ ହୋଇଥିବା ବେଳେ ୨୦୨୨ ଅକ୍ଟୋବରରେ ଏହା ୫୩,୩୬୨ ୟୁନିଟକୁ ବୃଦ୍ଧି ସହ ୧୭% ଅଭିବୃଦ୍ଧି କରିଛି। ଏହି ସମୟ ମଧ୍ୟରେ ୨ଚକିଆ ଯାନ ବିକ୍ରି ୧୦,୩୯,୮୪୫ ୟୁନିଟରୁ ୧୫,୭୧,୧୬୫ ୟୁନିଟ୍‌କୁ ବୃଦ୍ଧି ପାଇ ୫୧% ଅଭିବୃଦ୍ଧି ଘଟିଛି। ସେହିପରି ୩ ଚକିଆ ଯାନ ବିକ୍ରି ଗତ ବର୍ଷ ତୁଳନାରେ ୬୬%କୁ ବୃଦ୍ଧି ହୋଇ ୬୬,୭୬୩ ୟୁନିଟ୍‌ରେ ପହଞ୍ଚତ୍ଛି। ସୂଚନାଯୋଗ୍ୟ ଯେ ସାରା ଦେଶରେ ୪୨ ଦିନର ଉତ୍ସବ ହେଉଥିବା ସମୟରେ ଯାନବାହନ ବିକ୍ରି ୨୯%ବୃଦ୍ଧି ପାଇ ୨୮,୮୮,୧୩୧ ୟୁନିଟରେ ପହଞ୍ଚତ୍ଛି, ଯାହାକି ଗତବର୍ଷ ୨୨,୪୨,୧୩୯ ୟୁନିଟ୍‌ ରହିଥିଲା। ଏହି ପରିପ୍ରେକ୍ଷୀରେ ୨ ଚକିଆ ଯାନ ୨୬%, ୩ ଚିକିଆ ଯାନ ୬୮%, ସିଭି ସେଗମେଣ୍ଟ ୨୯%, ଯାତ୍ରୀବାହୀ ଯାନ ୩୪% ଏବଂ ଟ୍ରାକ୍ଟର ୩୦% ବିକ୍ରି ହୋଇଛି ବୋଲି ଫାଡା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share