ସ୍କୁଟି ଚାଳକଙ୍କୁ କାର୍‌ ସିଟବେଲ୍ଟ ଫାଇନ

ରାଜଗାଙ୍ଗପୁର, ୨୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଞ୍ଚଳର ଜଣେ ସ୍କୁଟି ଚାଳକଙ୍କୁ କାର୍‌ ସିଟବେଲ୍ଟ ଫାଇନ ଦେବାକୁ ମେସେଜ ଆସିଥିଲା। ପରେ ଏହା ଭୁଲ ମେସେଜ ବୋଲି ଜଣାପଡ଼ିଛି। ରାଜଗାଙ୍ଗପୁର ସହରରେ ବାସ କରୁଥିବା ଅଭିଷେକ କରଙ୍କର ଏକ ସ୍କୁଟି ଓଡି ୧୬ ଏଫ ୪୩୫୬ ରହିଛି। ତାଙ୍କ ମୋବାଇଳକୁ ଆସିଥିବା ମେସେଜ ଯୋଗେ ଜାଣିବାକୁ ପାଇଲେ ଯେ, ସିଟ ବେଲ୍ଟ ପିନ୍ଧି ନ ଥିବାରୁ ତାଙ୍କୁ ୧୦୦୦ ଟଙ୍କା ଫାଇନ ହୋଇଛି। ତାହା ପୁଣି ଝାରସୁଗୁଡା ଜିଲାରେ। ମେସେଜ ପାଇଲା ପରେ ସେ ବ୍ୟତିବ୍ୟସ୍ତ ହୋଇଥିଲେ। ଏପରି କିପରି ହେଲା। ସେ ଝାରସୁଗୁଡା ଯାଇ ନାହାନ୍ତି କି କାର ଚଳାଇନାହାନ୍ତି। ତାଙ୍କୁ ଯେଉଁ ମେସେଜ ଆସିଛି ତାହା ତାଙ୍କ ସ୍କୁଟିର ନମ୍ବର। ଘଟଣା ପ୍ରଘଟ ହେଲା ପରେ ମଙ୍ଗଳବାର ସନ୍ଧ୍ୟାରେ ଝାରସୁଗୁଡା ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ମେସେଜ ପାଇଲେ ଯେ ଏହା ଏକ ହ୍ୟୁମାନ ଏରର। ଯେଉଁ ଥାନା ପକ୍ଷରୁ ଏହା କରାଯାଇଛି ସେହି ଥାନାକୁ ଠିକ କରିବା ପାଇଁ ଝାରସୁଗୁଡା ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ମେସେଜ କରାଯାଇଛି।