ଚୋରା ଲୁହାପଥର ଟ୍ରକ ସହିତ କାର ଜବତ: ୫ ଗିରଫ

ଲହୁଣୀପଡା, ୧।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ରାଜାମୁଣ୍ଡା ଛକରୁ ଗୁରୁବାର ଭୋର ଏକ ଚୋରା ଲୁହାପଥର ବୋଝେଇ ଚଉଦ ଚକିଆ ଟ୍ରକ ଓ କାରକୁ ଜବତ କରିବା ସହିତ ୫ଜଣଙ୍କୁ ଲହୁଣୀପଡା ପୋଲିସ ଗିରଫ କରିଛି। କେନ୍ଦୁଝର ଖଣି ଅଞ୍ଚଳରୁ ଓଡି ୧୯ ଏମ- ୬୯୨୯ ଚଉଦ ଚକିଆ ଟ୍ରକରେ ଲୁହାପଥର ବୋଝେଇ ବଣେଇ ପଟୁ ରାଜାମୁଣ୍ଡା ଅଞ୍ଚଳର ସ୍ପଞ୍ଜ କାରଖାନାକୁ ଆସୁଥିଲା ବେଳେ ପୋଲିସ ରାଜାମୁଣ୍ଡା ଛକରେ ଗାଡିକୁ ଅଟକ ରଖି କାଗଜପତ୍ର ଯାଞ୍ଚ କରିବାରୁ ଜଣାପଡିଲା ଯେ, ଉକ୍ତ ଗାଡିରେ ଚୋରା ଲୁହାପଥର ଅଛି । ଟ୍ରକ ସହିତ ଚାଳକକୁ ଥାନାକୁ ନେଇ ପଚରାଉଚୁରା କରିଥିଲେ । ଏହା ଚୋରା ଲୁହାପଥର ବେନିୟମ ଭାବେ ଚାଲାଣ ହେଉଥିବା ସ୍ପଷ୍ଟ ଜଣାପଡିଥିଲା । ଏହି ଚୋର ଲୁହାପଥର ଗାଡିକୁ ଏକ କାର ଓଡି ୦୫ ଏଭି- ୦୭୦୮ ସୁରକ୍ଷା ଦେଇ ଆସୁଥିଲା । ଉକ୍ତ କାରକୁ ମଧ୍ୟ ଜବତ କରିବା ସହିତ କାର ଭିତରେ ଥିବା ତିନିଜଣଙ୍କୁ ଅଟକ ରଖି ପଚରାଉଚୁରା କରିବାରୁ ଜଣାପଡିଲା ଯେ, ଏହି ୫ଜଣ ବେନିୟମ ଭାବେ ଲୁହାପଥର ଚାଲାଣ କରୁଛନ୍ତି । ବେନିୟମ ଲୁହାପଥର ଚାଲାଣ ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରି ଟ୍ରକ ଓ କାରକୁ ଜବତ କରିବା ସହିତ ୫ଜଣଙ୍କୁ ଗିରଫ କରିଛି।

Share