କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

କେନ୍ଦୁଝର,୩୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ତାପଡ଼ା ଥାନା ଅନ୍ତର୍ଗତ ଉଚୁକାବେଡ଼ା-ରାମଚନ୍ଦ୍ରପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଓ ୧୪ ଚକିଆ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଦୁଇ ସାଙ୍ଗଙ୍କ ଜୀବନ ଚାଲିଯାଇଛି। ମୃତକ ଦ୍ବୟ ହେଲେ ବକ୍ସି ବାରିଗାଁ ଗ୍ରାମର ଲୋକନାଥ ନାଏକ(୩୦) ଓ ଅନିଲ ରାଉତ(୨୫)।

ମିଳିଥିବା ସୂଚନା ମୁତାବକ, ଉଭୟ ନରଣପୁରରୁ ବକ୍ସିବାରିଗାଁ ଅଭିମୁଖେ କାର୍‌ରେ ଯାଉଥିଲେ। ଉଚକାବେଡ଼ା ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ସହିତ ତାଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଲୋକନାଥ ଓ ଅନିଲ କାର୍‌ ଭିତରେ ଚାପି ହୋଇ ରହିଯାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପଣ୍ତାପଡା ପୋଲିସ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଦୁର୍ଘଟଣା ଜନିତ ମାମାଲା (ନଂ. ୧୬୯/୨୩)ରାଜୁ ହୋଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।