କାର୍ବନ ନିର୍ଗମନ ହ୍ରାସ ଲୋକ ଦେଖାଣିଆ ନ ହେଉ : ଜାତିସଂଘ ମହାସଚିବ…

ଜେନେଭା,୧୦।୧୧ : ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଜଳବାୟୁ ପରିବର୍ତ୍ତନକୁ ନେଇ ବିଶ୍ୱ ନେତାମାନଙ୍କୁ ପୁଣି ଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କାର୍ବନ ନିର୍ଗମନକୁ ହ୍ରାସ କରିବା ପାଇଁ ଆମର ପ୍ରତିବଦ୍ଧତା କେବଳ ଲୋକ ଦେଖାଣିଆ ନ ହେଉ। ଯଦି ଆପଣ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବାକୁ ଚାହୁଁଛନ୍ତି ତେବେ ଗ୍ରୀନ୍‌ ଓ୍ବାଶିଂ ପାଇଁ ଶୂନ୍ୟ ସହନଶୀଳତା ନୀତି ଆପଣେଇବା ଜରୁରୀ।

ଜାତିସଂଘର ମହାସଚିବ କୋପ୍‌-୨୭ ଜଳବାୟୁ ସମ୍ମିଳନୀରେ ନେଟ-ଜିରୋ ଏକ୍ସପର୍ଟ ଗ୍ରୁପ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ମନ୍ତବ୍ୟ ଦେଇଛନ୍ତି। ଯେତେବେଳେ ଏକ କମ୍ପାନୀ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ପରିବେଶ ସୁରକ୍ଷା ପାଇଁ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଛି ବୋଲି ଦାବି କରିଥାଏ। ମାତ୍ର ବାସ୍ତବରେ ଏହା ଅଧିକ କିଛି ନକରି ପରିବେଶ ସୁରକ୍ଷା ବିଷୟରେ ଭିତ୍ତିହୀନ ଦାବି କରେ । ଏହାକୁ ଗ୍ରୀନ ୱାଶିଂ କୁହାଯାଏ।

ଜାତିସଂଘର ମହାସଚିବ କହିଛନ୍ତି ଯେ ଜଳବାୟୁ ସଙ୍କଟ ଦୂର କରିବା ପାଇଁ ଏକ ଦୃଢ଼ ରାଜନୈତିକ ନେତୃତ୍ୱ ଆବଶ୍ୟକ। ସବୁଜ ଶକ୍ତି ଆଡକୁ ବେସରକାରୀ କ୍ଷେତ୍ରକୁ ସମାନ ସୁଯୋଗ ପ୍ରଦାନ କରିବାକୁ ସେ ସମସ୍ତ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ନିବେଦନ କରିଛନ୍ତି।

ନେଟ-ଶୂନ ପ୍ରତିଶ୍ରୁତି ନିଶ୍ଚିତ କରିବା ପାଇଁ ଗୁଟେରସ ରିପୋର୍ଟକୁ ଏକ ବିଶ୍ୱାସନୀୟ ଏବଂ ଉତ୍ତରଦାୟୀ ଗାଇଡ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହା ଚାରୋଟି ପ୍ରମୁଖ କ୍ଷେତ୍ର ଯଥା, ପରିବେଶ ଅଖଣ୍ଡତା, ବିଶ୍ୱସନୀୟତା, ଉତ୍ତରଦାୟିତ୍ୱ ଏବଂ ସରକାରଙ୍କ ଭୂମିକା ଉପରେ ସ୍ପଷ୍ଟତା ପ୍ରଦାନ କରୁଛି।

Share