Categories: ଫୁରସତ

ହୃଦ୍‌ରୋଗ ଓ ଖାଦ୍ୟ

ହୃଦ୍‌ରୋଗ ପରି ସମସ୍ୟାଠାରୁ ନିଜକୁ ଦୂରେଇ ରଖିବା ଲାଗି ଆମେ ନିଜର ଦୈନନ୍ଦିନ ଜୀବନଶୈଳୀ ଏବଂ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ। ବିଶେଷଭାବରେ ଆମେ ଯଦି ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବା ତେବେ ଏଭଳି ସମସ୍ୟା ଦେଖାଯିବାର କମ୍‌ ଆଶଙ୍କା ରହିଛି। ଲହୁଣି, ଘିଅ, ବନସ୍ପତି, କଲିଜା, ଚର୍ବି, ଚର୍ମ ଲାଗିଥିବା କୁକୁଡ଼ା ମାଂସ ଓ ଚର୍ବି ଲାଗିଥିବା ଛେଳି ମାଂସ କିମ୍ବା ମେଣ୍ଢା ମାଂସ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ଅଣ୍ଡାର କେଶର, ଚିଙ୍ଗୁଡ଼ି, କଙ୍କଡ଼ା, ଲହୁଣି, ଘିଅ ଇତ୍ୟାଦିରେ କୋଲେଷ୍ଟରଲ ପରିମାଣ ଅଧିକ ରହିଛି। ତେଣୁ ଏଭଳି ଖାଦ୍ୟ ଆଦୌ ଅନୁକୂଳ ନୁହେଁ। ସେହିପରି ଅଧିକ ଚିନି, ଗୁଡ଼ କିମ୍ବା ମିଷ୍ଟାନ୍ନ ଜାତୀୟ ଖାଦ୍ୟରେ ଥିବା ଶ୍ୱେତସାର ଶରୀରରେ ଚର୍ବି ପରିମାଣ ବଢ଼ାଇ ଦେଇଥାଏ। ଏଭଳି ଖାଦ୍ୟ ମଧ୍ୟ ହୃଦ୍‌ରୋଗ ସୃଷ୍ଟି କରିବାର ଯଥେଷ୍ଟ କାରଣ ରହିଛି। ବେଶି ଲୁଣ, ଫାଷ୍ଟଫୁଡ଼, ଜଙ୍କ୍‌ଫୁଡ଼ ଏବଂ ଡବାରେ ବନ୍ଦ ହୋଇ ବିକ୍ର ହେଉଥିବା ଖାଦ୍ୟ ମଧ୍ୟ ହୃତ୍‌ପିଣ୍ଡର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ପ୍ରତିଦିନ ଯଥେଷ୍ଟ ପରିମାଣର ଫଳ, ଶାଗ ଓ ପନିପରିବା ଖାଇବା ନିରାପଦ। ରୋଷେଇବାସ ପାଇଁ ସୋରିଷ ତେଲ ଓ ସୋୟାବିନ୍‌ ତେଲ ବ୍ୟବହାର କରନ୍ତୁ। ବାଦାମ ତେଲ ଓ ସୂର୍ଯ୍ୟମୁଖୀ ତେଲ ମଧ୍ୟ ମନ୍ଦ ନୁହେଁ। କାକୁଡ଼ି, ଟମାଟୋ, ଗାଜର, ମୂଳା, ଧନିଆପତ୍ର ଓ ଲେମ୍ବୁର ସାଲାଡ଼୍‌ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।

Share