ଏଟିଏମ୍‌ କାର୍ଡ ନ ଥିଲେ ବି ଏଣିକି ଉଠାଇ ପାରିବେ ଟଙ୍କା

ନୂଆଦିଲ୍ଲୀ,୮।୪: ଏଣିକି ଏଟିଏମ କାର୍ଡ ବିନା ମଧ୍ୟ ଟଙ୍କା ଉଠାଇବାକୁ ଗ୍ରାହକ ସକ୍ଷମ ହେବେ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୁବିଧା କେବଳ କିଛି ବ୍ୟାଙ୍କରେ ଉପଲବ୍ଧ ଥିଲା। ଆରବିଆଇ ଗଭର୍ନରଙ୍କ କହିବା ଅନୁଯାୟୀ, ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ବ୍ୟବହାର କରି ସମସ୍ତ ବ୍ୟାଙ୍କ ଏବଂ ଏଟିଏମ ନେଟୱାର୍କରେ କାର୍ଡଲେସ ନଗଦ ଟଙ୍କା ଉଠାଇବା ସୁବିଧା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ପଦକ୍ଷେପ କାର୍ଡ କ୍ଲୋନ କରି ଟଙ୍କା ଉଠାଇବା ଠକେଇକୁ ମଧ୍ୟ ହ୍ରାସ କରିବ।
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଦ୍ରା ନୀତି କମିଟିର ବୈଠକରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମୁଦ୍ରା ନୀତି ଘୋଷଣା କରାଯାଇଛି। ଏହି ବୈଠକରେ ରେପୋ ହାରକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି। ଏହା ବ୍ୟତୀତ, ରିଭର୍ସ ରେପୋ ରେଟ୍‌ରେ ୦.୪୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏବେ ଏହା ବୃଦ୍ଧି ପାଇ ୩.୭୫ ପ୍ରତିଶତରେ ପହଞ୍ଚିଛି। ନଗଦ ରିଜର୍ଭ ଅନୁପାତ ମଧ୍ୟ ୪ ପ୍ରତିଶତରେ ରଖାଯାଇଛି। କ୍ରମାଗତ ୧୧ ଥର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ଏହାପୂର୍ବରୁ, ରିଜର୍ଭ ବ୍ୟାଙ୍କ ଗତ ମେ ୨୨, ୨୦୨୦ରେ ରେପୋ ରେଟ ପରିବର୍ତ୍ତନ କରିଥିଲା।

 

Share