ବିଶ୍ୱାସରେ ବିଷ ଦେଲେ କେୟାର ଟେକର: ମାଲିକାଣୀଙ୍କ ଘରୁ ଚୋରି କରି…

ଭୁବନେଶ୍ୱର,୬।୧୧(ସୂର୍ଯ୍ୟକାନ୍ତ ବେହେରା): ବିଶ୍ୱାସରେ ବିଷ ଦେଲେ କେୟାର ଟେକର । ମାଲିକଙ୍କ ସେବା କରୁ କରୁ ଘରୁ ଭିତରୁ ସୁନା ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିବା ଜଣେ କେୟାର ଟେକରଙ୍କୁ ଖଣ୍ଡଗିରି ଥାନା ପୋଲିସ ୫ ମାସର ଲୁଚାକାଳି ପରେ ଗିରଫ କରି ସୋମବାର କୋର୍ଟ ଚାଲଣ କରିଛି । ସେ ହେଲେ ଢେଙ୍କାନାଳ ଜିଲା ବାଲିମି ଥାନା ଅଞ୍ଚଳର ତାପସ ନାୟକ । ତାଙ୍କଠାରୁ ଗୋଟିଏ ୨୪ ଗ୍ରାମ ଓଜନର ସୁନା ଚେନ,୪ ଟି ସୁନା କାନଫୁଲ ଜବତ ହୋଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ସୂଚନାନୁସାରେ ସ୍ଥାନୀୟ ଥାନା ଅନ୍ତର୍ଗତ ବରବାରିରେ ବୃଦ୍ଧା ସୁଜତା ମହାନ୍ତି (୮୦) ଓ ତାଙ୍କ ସ୍ବାମୀ ରହନ୍ତି । ପିଲାମାନେ ଓଡ଼ିଶା ବାହାରେ ରହୁଥିବାରୁ ସେବା କରିବା ପାଇଁ ୨୦୨୧ ମସିହାରୁ ତାପସଙ୍କୁ ନିଯୁକ୍ତି କରିଥିଲେ । ହେଲେ ସେବା କରିବା ବଦଳରେ ସୁଯୋଗ ଦେଖି ଘର ଭିତରୁ ସୁନା ଗହଣା ନେଇ ଦୀର୍ଘ ଦିନ ଫେରାର ହୋଇଯାଇଥିଲେ । ଏନେଇ ସୁଜତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଢେଙ୍କାନାଳ ଜିଲାରେ ଚଢାଉ କରି ଗିରଫ କରିଥିଲା ।

Share