Categories: ଫୁରସତ

ବର୍ଷାରେ କାକ୍‌ଟସ୍‌ର ଯତ୍ନ

ପ୍ରତ୍ୟେକ ଗଛ ପାଇଁ ବର୍ଷାଜଳ ଖୁବ୍‌ ଉପକାରୀ। ହେଲେ କାକ୍‌ଟସ୍‌ ଏମିତି ଏକ ଗଛ ଯାହା ଖୁବ୍‌ କମ୍‌ ଜଳ ଆବଶ୍ୟକ କରେ। ତେଣୁ ବର୍ଷାଋତୁରେ କାକ୍‌ଟସ୍‌ର କେମିତି ଯତ୍ନ ନେବେ ଜାଣନ୍ତୁ ସେ ସମ୍ପର୍କରେ…

ଯେକୌଣସି ଗଛ ପାଇଁ ବର୍ଷା ପାଣି ଅମୃତ ସଦୃଶ। ଏହା ଗଛକୁ ଦେଇଥାଏ ପୋଷକ ତତ୍ତ୍ୱ। ତେଣୁ ପ୍ରତ୍ୟେକ ଗଛର ଅପେକ୍ଷା ଥାଏ ବର୍ଷାକୁ। ସେଥିପାଇଁ ଇନ୍‌ଡୋର୍‌ ପ୍ଲାଣ୍ଟକୁ ବି ନେଇ କିଛି ସମୟ ବର୍ଷାରେ ରଖା ଯାଇଥାଏ। ହେଲେ ସବୁ ଗଛ ପାଇଁ ବର୍ଷାଜଳ ଉପକାରୀ ହୋଇ ନ ଥାଏ। ବେଳେବେଳେ ଅତ୍ୟଧିକ ବର୍ଷା କେତେକ ଗଛ ପାଇଁ ଆଣିଥାଏ ସମସ୍ୟା, ଯେମିତିକି ସକୁଲାଣ୍ଟ ଓ କାକ୍‌ଟସ୍‌। ବିଶେଷକରି କାକ୍‌ଟସ୍‌ ଏମିତି ଏକ ଗଛ ଯିଏକି ଖୁବ୍‌ କମ୍‌ ପାଣି ଆବଶ୍ୟକ କରିଥାଏ। ଏହି ଗଛରେ ମାସେ କି ପନ୍ଦର ଦିନକୁ ଥରେ ପାଣି ଦେଲେ ବି କିଛି ଅସୁବିଧା ନ ଥାଏ। ଓଲଟା ଅତ୍ୟଧିକ ପାଣି ଦେଲେ ଏହି ଗଛ ନଷ୍ଟ ହୋଇଯାଏ। ତେଣୁ ବର୍ଷାଦିନେ କାକ୍‌ଟସ୍‌କୁ ସୁରକ୍ଷିତ ରଖିବାକୁ ହେଲେ କେତୋଟି ଦିଗ ପ୍ରତି ଧ୍ୟାନ ରଖିବା ଜରୁରୀ…

* ପ୍ରଥମେ ଧ୍ୟାନ ଦେବେ କାକ୍‌ଟସ୍‌ର କୁଣ୍ଡରୁ ପାଣି ଯେମିତି ଭଲ ଭାବରେ ବାହାରି ଯାଉଥିବ। ବେଳେବେଳେ ଏମିତି ହୁଏ ଅତ୍ୟଧିକ ବର୍ଷାରେ କାକ୍‌ଟସ୍‌ କୁଣ୍ଡର କଣା ବନ୍ଦ ହୋଇଯାଇଥାଏ। ତେଣୁ କୁଣ୍ଡରେ ଯେମିତି ପାଣି ଆଦୌ ନ ଜମିବ ସେଥିପ୍ରତି ଧ୍ୟାନ ରଖିବେ।

* ଦ୍ୱିତୀୟରେ କାକ୍‌ଟସ୍‌ କୁଣ୍ଡରେ ଯେଉଁ ମାଟି ପ୍ରସ୍ତୁତ କରୁଛନ୍ତି, ସେଥିରେ ବାଲି ଭାଗ ଟିକେ ଅଧିକ ଦେବେ। ଆଉ ମାଟି ଖୁବ୍‌ ହାଲୁକା ହେବା ଦରକାର ଯେମିତି ସହଜରେ ପାଣି ଛାଡିଯିବ।

* ବର୍ଷାଦିନେ କାକ୍‌ଟସ୍‌ କୁଣ୍ଡ ଉପରେ ବର୍ଷା ପାଣି ନ ପଡ଼ିବା ପାଇଁ ଉପରେ ଟ୍ରାନ୍ସପରେଣ୍ଟ ପ୍ଲାଷ୍ଟିକ୍‌ ସିଟ୍‌ର ଶେଡ୍‌ ଦ୍ୱାରା କଭର୍‌ କରିଦେବେ।

* ବର୍ଷାଦିନେ କାକ୍‌ଟସ୍‌ର ଗ୍ରାଫ୍ଟିଂ(କାଟିବା) ଓ ରିପୋଟିଂ(କୁଣ୍ଡ ବଦଳାଇବା) କରନ୍ତୁ ନାହିଁ।

* ବର୍ଷାଦିନେ କାକ୍‌ଟସ୍‌ ଗଛରେ ବେଶି ଫର୍ଟିଲାଇଜର୍‌ ବ୍ୟବହାର କରିବା ବି ଠିକ୍‌ ନୁହେଁ।

* ବର୍ଷାଦିନେ କାକ୍‌ଟସ୍‌ରେ ଅନେକ ସମୟରେ ମିଲିବଗ୍‌ ବି ଲାଗିଥାଏ। ସେଥିରୁ ରକ୍ଷା ପାଇବା ଲାଗି ବୋରେକ୍ସ ପାଉଡରକୁ ପାଣିରେ ମିଶାଇ ସ୍ପ୍ରେ କରନ୍ତୁ। ଏହାଛଡା କୁଣ୍ଡ ଚାରିପଟେ ଲକ୍ଷ୍ମଣ ରେଖା ବି ଟାଣିପାରିବେ। ଯଦ୍ୱାରା ପିମ୍ପୁଡି ଓ ମିଲିବଗ୍‌ରୁ ଗଛକୁ ସୁରକ୍ଷା ମିଳିବ।

Share