୩ କଂଗ୍ରେସ ନେତାଙ୍କ ନାଁରେ ମାମଲା

ଭୁବନେଶ୍ୱର,୧୭ା୧୦ (ସତ୍ୟଜିତ୍‌ ରାଉତ): ୨୦୨୪ ନିର୍ବାଚନ ବେଳେ ପ୍ରଚାର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ଏଲ୍‌ଇଡି ଟିଭି ଓ ଗାଡ଼ି ଯୋଗାଇ ଜଣେ ବ୍ୟବସାୟୀ ୧.୪୨ କୋଟି ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୫ଙ୍କ ନିର୍ଦ୍ଦେଶକ୍ରମେ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ଷ୍ଟିୟରିଂ କମିଟି ଅଧ୍ୟକ୍ଷ ଅଜୟ କୁମାର ଓ ସଦସ୍ୟ ବିଶ୍ୱରଞ୍ଜନ ମହାନ୍ତିଙ୍କ ନଁାରେ ଭରତପୁର ଥାନାରେ ଅକ୍ଟୋବର ୧୨ରେ ଆଇପିସି ଦଫା ୧୨୦ ବି, ୫୦୬ ଓ ୪୨୦ରେ ମାମଲା (ନଂ.୬୮୪/୨୦୨୪) ରୁଜୁ ହୋଇଛି। ଅଭିଯୋଗକାରୀ ବ୍ୟବସାୟୀ ହେଲେ ଖଣ୍ଡଗିରିବାରିସ୍ଥିତ ପ୍ଲଟ୍‌ ନଂ.୧୨୧୫/୧୩୭୩ରେ ରହୁଥିବା ଆଶୁତୋଷ ମହାପାତ୍ର। ସେ ପ୍ରଥମେ ଭରତପୁର ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ ନ କରିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ଅନୁଯାୟୀ, ଗତ ନିର୍ବାଚନ ସମୟରେ ପ୍ରଚାର ପାଇଁ ଏଲ୍‌ଇଡି ଟିଭି ଓ ଗାଡ଼ି ଯୋଗାଣ ନେଇ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଥିବା ଅଜୟ କୁମାରଙ୍କ ସହ ଆଶୁତୋଷଙ୍କର ୧.୫୦ କୋଟି ଟଙ୍କାର ଚୁକ୍ତି ହୋଇଥିଲା। ଏଥିପାଇଁ ଆଶୁତୋଷଙ୍କୁ ଅଗ୍ରିମ ୮ ଲକ୍ଷ ଟଙ୍କା ଦିଆଯାଇଥିଲା। ନିର୍ବାଚନ ସରିବା ପରେ ବଳକା ଟଙ୍କା ଦେଇଦେବେ ବୋଲି ଉଭୟେ କହିଥିଲେ। ଜୁନ୍‌ ୨୨ରେ ଶରତ, ଅଜୟ ଓ ବିଶ୍ୱରଞ୍ଜନ ଖଣ୍ଡଗିରିବାରିସ୍ଥିତ ଅଫିସରେ ଆଶୁତୋଷଙ୍କୁ ଦେଖାକରିଥିଲେ। ଏହି ସମୟରେ ଆଶୁତୋଷ ତାଙ୍କ ବକେୟା ଟଙ୍କା ମାଗିବାରୁ ସେମାନେ ତାଙ୍କ ବାସଭବନରେ ଦେଖାକରି ଟଙ୍କା ପରିମାଣ ଚୂଡ଼ାନ୍ତ କରିଦେବେ ବୋଲି କହିଥିଲେ। ହେଲେ ଆଶୁତୋଷ ଏଥିରେ ରାଜି ହୋଇ ନ ଥିଲେ। ତାଙ୍କ ଫୋନ କଲ୍‌କୁ ସେମାନେ ଉଠାଉ ନ ଥିବାରୁ ସାଙ୍ଗେ ସାଙ୍ଗେ ସବୁ ଟଙ୍କା ଦେବାକୁ ଆଶୁତୋଷ କହିଥିଲେ। ଆଲୋଚନା ବେଳେ ଅଜୟ ଓ ଶରତ ଧମକ ଦେବା ସହ ଟଙ୍କାଟିଏ ବି ଦେବେ ନାହିଁ ବୋଲି କହିଥିଲେ। ଏହି ସମୟରେ ଟଙ୍କା ଦେବାକୁ ଆଶୁତୋଷ ବାଧ୍ୟ କରିବାରୁ ବିଶ୍ୱରଞ୍ଜନ ତାଙ୍କୁ ଧକ୍କା ମାରିଥିଲେ। ଏଥିସହ ବିହାରୀ ଗୁଣ୍ଡା ଲଗାଇ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ ବୋଲି ଆଶୁତୋଷ ଏତଲାରେ ଉଲ୍ଲେଖ କରିଛନ୍ତି। ଏନେଇ ବିଶ୍ୱରଞ୍ଜନ କହିଛନ୍ତି, ଏଇଟା ଏକ ମିଛ ମାମଲା। ଆଶୁତୋଷ ମହାପାତ୍ର କିଏ ସେ ଜାଣିନାହାନ୍ତି। ସିଏ ଯେଉଁ ଏଲ୍‌ଇଡି ଓ ଗାଡ଼ି ଲଗାଇଥିଲେ ବୋଲି ଅଭିଯୋଗ କରୁଛନ୍ତି, ତା’ର କିଛି ପ୍ରମାଣ ନାହିଁ। ତାଙ୍କ ନାଁ ସେଥିରେ ଅଯଥାରେ ଯୋଡ଼ାଯାଇଛି ବୋଲି ବିଶ୍ୱରଞ୍ଜନ କହିଛନ୍ତି। ଅନ୍ୟପକ୍ଷରେ ଶରତ ଓ ଅଜୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।