Categories: ଜାତୀୟ

ଏସ୍‌ଡିଏମ୍‌ଙ୍କ ସମେତ ୩୯ଙ୍କ ନାଁରେ ମାମଲା

କାନପୁର,୧୫।୨(ପି.ଟି.): ଉତ୍ତରପ୍ରଦେଶର କାନପୁର ଦେହାତରେ ସୋମବାର ଜବରଦଖଲ ଉଚ୍ଛେଦ ଅଭିଯାନ ବେଳେ ମାଆଝିଅ ଏହାକୁ ବିରୋଧ କରି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ପୋଲିସ ମଙ୍ଗଳବାର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌), ୪ ରାଜସ୍ବ ଅଧିକାରୀ ଏବଂ ପୋଲିସ ସମେତ ୩୯ ଜଣଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଓ ଅନ୍ୟ ଅଭିଯୋଗରେ ମାମଲା ରୁଜୁ କରିଛି। ଏସ୍‌ଡିଏମ୍‌ ଜ୍ଞାନେଶ୍ୱର ପ୍ରସାଦଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ପୋଲିସ ଆଇଜି (କାନପୁର ରେଞ୍ଜ୍‌) ପ୍ରଶାନ୍ତ କୁମାର କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଲେଖପାଳ ଅଶୋକ ସିଂ ଏବଂ ବୁଲ୍‌ଡୋଜର ଡ୍ରାଇଭର ଦୀପକଙ୍କୁ ଗିରଫ କରାଯାଇଛି। ଏଥିସହିତ ଘର ଭାଙ୍ଗିବା ପାଇଁ ବ୍ୟବହୃତ ବୁଲ୍‌ଡୋଜରକୁ ଜବତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ମୃତକଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇ ସେମାନଙ୍କ ଦାବିର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ିଥିଲେ। ଗାଁରେ ଉତ୍ତେଜନା ଲାଗିରହିଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦୁଇ ମହିଳାଙ୍କ ଆତ୍ମଦାହ ଘଟଣା ପାଇଁ ବିରୋଧୀ ଦଳଗୁଡ଼ିକ ଭାଜପା ସରକାରଙ୍କୁ ଦାୟୀ କରିଛନ୍ତି। ଏହି ସରକାରର କ୍ଷମତା ଗର୍ବ ଏବଂ ସମ୍ବେଦନହୀନତା ମାଆଝିଅଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପାଇଁ ୟୁପି ମହିଳା କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତିଭା ଶୁକ୍ଳା ରାଜ୍ୟ ଅଧିକାରୀମାନଙ୍କୁ ଦାୟୀ କରିଛନ୍ତି।

Share