Categories: ଜାତୀୟ

ବିହାର ଭାଜପା ବିଧାୟକଙ୍କ ନାମରେ ଯୁବତୀଙ୍କୁ ଅପହରଣ ଅଭିଯୋଗ

ପାଟଣା,୧୪।୨: ବିହାରର ଭାଜପା ବିଧାୟକ ବିନୟ ବିହାରୀଙ୍କ ବିରୋଧରେ ୨୫ ବର୍ଷୀୟା ଜଣେ ଯୁବତୀଙ୍କୁ ରବିବାର ଅପହରଣ କରିଥିବା ଅଭିଯୋଗ ଆସିଛି। ଏ ନେଇ ଅପହୃତାଙ୍କ ମା’ ଅଭିଯୋଗକୁ ଭିତ୍ତି କରି ପାଟଣାର ଅଗାମ କୁଆନ ଥାନାରେ ମାମଲା ରୁଜୁ ହୋଇଛି।

“ପଶ୍ଚିମ ଚାମ୍ପାରାନର ଲଉରିୟା ବିଧାୟକଙ୍କ ସମେତ ୩ ଜଣଙ୍କ ନାମରେ ୨୫ ବର୍ଷୀୟା ଯୁବତୀଙ୍କୁ ଅପହରଣ କରିଥିବା ଏଫ୍‌ଆଇଆର ରେଜିଷ୍ଟର ହୋଇଛି” ବୋଲି ଥାନା ଅଧିକାରୀ ବିପିନ ବିହାରୀ କହିଛନ୍ତି।

ଅପହୃତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ପୀଡ଼ିତା ଗତ ୯ ତାରିଖରେ ପରୀକ୍ଷା ପାଇଁ କଲେଜ ଯାଇଥିଲେ। ସେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନ ଫେରିବାରୁ ମୁଁ ତାଙ୍କୁ ଫୋନ କରିଥିଲି। ହେଲେ ନମ୍ବର ସୁଇଚ୍‌ ଅଫ୍‌ ଆସିଥିଲା। ପ୍ରାୟ ୩ଟା ୧୦ରେ ତାଙ୍କ ନମ୍ବରରୁ ଆସିଥିଲା ଏକ ମେସେଜ। ସେଥିରେ ଏକ ନମ୍ବରକୁ ଯୋଗାଯୋଗ କରିବାକୁ କୁହାଯାଇଥିଲା। ସେହି ନମ୍ବରକୁ ଫୋନ କରିବାରୁ ଭାଜପା ବିଧାୟକ ବିନୟ ବିହାରୀ କଲ ରିସଭ କରିଥିଲେ। ପ୍ରଥମେ ସେ ଆମକୁ ଘଣ୍ଟାକ ପରେ ଫୋନ କରିବାକୁ କହିଥିଲେ। ପରେ ଯୋଗାଯୋଗ କରିବାରୁ ସେ ଧମକ ଦେଇ କହିଥିଲେ, ତୁମ ଝିଅ ଏବେ ମୋ ଭଣଜା ରାଜୀବ ସିଂଙ୍କ ସହ ଅଛି। ଏଥିରେ ଏସ୍‌ପି କିମ୍ବା ଡିଏସ୍‌ପିଙ୍କ କିଛି କରିବାର ନାହିଁ। ଏହି ମାମଲାର ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share