ଗୁଗ୍‌ଲ ସିଇଓଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୬ା୧: କପିରାଇଟ୍‌ ଆକ୍ଟ ଉଲ୍ଲଂଘନ ପାଇଁ ମୁମ୍ବାଇ ପୋଲିସ ବୁଧବାର ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ ୫ଜଣ କମ୍ପାନୀ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରିଛି।

ମୁମ୍ବାଇ ପୋଲିସ କହିଛି ଯେ, କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ ପାଞ୍ଚଜଣ କମ୍ପାନୀ ଅଧିକାରୀଙ୍କ ବିରୋଧରେ କପିରାଇଟ ଆକ୍ଟ ଉଲ୍ଲଂଘନ ମାମଲା ରୁଜୁ ହୋଇଛି।

ଫିଲ୍ମ ନିର୍ଦ୍ଦେଶକ ସୁନିଲ ଦର୍ଶନଙ୍କ ଅଭିଯୋଗ ପରେ ଗୁଗ୍‌ଲ ଅନଧିକୃତ ବ୍ୟକ୍ତିଙ୍କୁ ତାଙ୍କ ଫିଲ୍ମ ‘ଏକ ହସିନା ଥି ଏକ ଦିଓ୍ବାନା ଥା’କୁ ୟୁଟ୍ୟୁବ୍‌ରେ ଅପଲୋଡ୍‌ କରିବାକୁ ଅନୁମତି ଦେଇଥିବା ଅଭିଯୋଗ ପରେ ଏହି ମାମଲା ପଞ୍ଜୀକୃତ ହୋଇଛି।

ସେ କହିଛନ୍ତି, ଫିଲ୍ମର ଗୀତ ଏବଂ ଭିଡିଓ ଅପଲୋଡ୍‌ ହେଉଥିବାବେଳେ ୟୁଟ୍ୟୁବ୍‌ ଏବଂ ଗୁଗ୍‌ଲ ମଧ୍ୟ ଏହାକୁ ଅପଲୋଡ୍‌ କରିବାକୁ ଅନୁମତି ଦେଇଛି। ଯେଉଁଥିପାଇଁ ସେମାନେ କୋଟି କୋଟି ଟଙ୍କା ରୋଜଗାର କରିଥିଲେ ଏବଂ ସେ (ଫିଲ୍ମ ନିର୍ମାତା) ବହୁ କୋଟି ଟଙ୍କା ହରାଇଛନ୍ତି। ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତି କରି ସୁନ୍ଦର ପିଚାଇଙ୍କ ବ୍ୟତୀତ କପିରାଇଟ୍‌ର ଧାରା ୫୧, ୬୩ ଏବଂ ୬୯ ଅନୁଯାୟୀ ୟୁଟ୍ୟୁବ୍‌ ନିର୍ଦ୍ଦେଶକ ଗୌତମ ଆନନ୍ଦଙ୍କ ସମେତ ଅନ୍ୟ ଗୁଗ୍‌ଲ ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ବୋଲି ସୂଚନା ମିଳିଛି।

Share