Categories: ଜାତୀୟ

ବଳାତ୍କାର ପୀଡିତାଙ୍କୁ ବିବାହ କଲେ ବି ଅଭିଯୁକ୍ତଙ୍କ ବିରୋଧରେ ଜାରି ରହିବ ମାମଲା: ହାଇକୋର୍ଟ…

ନୂଆଦିଲ୍ଲୀ,୧୨।୧୧ : ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏପରିସ୍ଥଳେ ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବାକୁ କୋର୍ଟରେ କହିଛନ୍ତି। ତେବେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ବଳାତ୍କାର ପୀଡିତାଙ୍କୁ ଅଭିଯୁକ୍ତ ବିବାହ କଲେ ବି ତାଙ୍କ ବିରୋଧରେ ଜାରି ରହିଥିବା ମାମଲା ବନ୍ଦ ହେବ ନାହିଁ। ଏନେଇ କୌଣସି ଅନୁକମ୍ପା ପ୍ରଦାନ କରାଯାଇ ପାରିବ ନାହିଁ। କୋର୍ଟ କହିଛନ୍ତି ଏଫଆଇଆର ପଞ୍ଜୀକରଣ ପରେ ଉଭୟଙ୍କ ମଧ୍ୟରେ ବିବାହ ହୋଇଛି। ତେଣୁ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ମିଳି ପାରିବ ନାହିଁ।
ଅଭିଯୁକ୍ତଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଗୁରୁତର ବର୍ଗର ହୋଇଥିବାରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ।
ବିଚାରପତି ସୁଧୀର କୁମାର ଜୈନ ସୁପ୍ରିମ୍‌କୋର୍ଟଙ୍କର ଏକ ରାୟ ଆଧାରରେ କହିଛନ୍ତି ବଳାତ୍କାର ଅପରାଧ ନେଇ ମାମଲାକୁ ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଥିବା ବୁଝାମଣାକୁ ଦୃଷ୍ଟିରେ ରଖି ଖାରଜ କରାଯାଇ ପାରିବ ନାହିଁ। ଏଫଆଇଆରରେ ଉଲ୍ଲେଖ କରାଯାଇଛି ପୀଡିତାଙ୍କୁ ୧୬ ବର୍ଷ ବୟସ ହୋଇଥିବାବେଳେ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିଲେ। ଯାହାଦ୍ୱାରା ପୀଡିତା ଗର୍ଭବତୀ ହୋଇଥିଲେ।

ଏଭଳି ଅପରାଧରେ ଅଭିଯୁକ୍ତଙ୍କୁ ଛାଡ କରିବା ଦ୍ୱାରା ସମାଜରେ ଏହାର କୁପ୍ରଭାବ ପଡିବାର ଆଶଙ୍କା ରହିଛି। ତେଣୁ ସେ ପୀଡିତାଙ୍କୁ ବିବାହ କରିଥିଲେ ମଧ୍ୟ ତାଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ଜାରି ରହିବ। ଏହା ସହିତ ହାଇକୋର୍ଟ ଅଭିଯୁକ୍ତଙ୍କ ମାମଲା ରଦ୍ଦ ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି।

Share