Categories: ଜାତୀୟ

ରାଜ୍‌ ଠାକ୍‌ରେଙ୍କ ବିରୋଧରେ ମାମଲା

ମୁମ୍ବାଇ,୩।୫:ଔରଙ୍ଗାବାଦରେ ରବିବାର ଅନୁଷ୍ଠିତ ରାଲିରେ ଉତ୍ତେଜକ ଭାଷଣ ଦେବା ଅଭିଯୋଗରେ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାଲିର ଆୟୋଜନ କରିଥିବା ୩ଜଣଙ୍କ ନାଁ ମଧ୍ୟ ଏତଲାରେ ରହିଛି। ଦଙ୍ଗା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍‌ ଲୋକଙ୍କୁ ଉତ୍ତେଜିତ କରିବା ସହ ଅପରାଧ ଘଟାଇବା ନେଇ କମିଶନଙ୍କୁ ଉସୁକାଇଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ମୁମ୍ବାଇରେ ଥିବା ମସ୍‌ଜିଦଗୁଡ଼ିକରୁ ଡାକବାଜି ଯନ୍ତ୍ର ହଟାଇବା ପାଇଁ ଗତ ମାସରେ ରାଜ୍‌ ଠାକ୍‌ରେ ଶିବସେନା ନେତୃତ୍ୱାଧୀନ ମେଣ୍ଟ ସରକାରକୁ ଆହ୍ବାନ ଦେଇ ଚର୍ଚ୍ଚାକୁ ଆସିଥିଲେ। ମେ’ ୩ ସୁଦ୍ଧା ଡାକବାଜି ଯନ୍ତ୍ର ନ ହଟିଲେ ମସ୍‌ଜିଦ ବାହାରେ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ତାଙ୍କ କର୍ମୀମାନେ ଆଜାନକୁ ବିରୋଧ କରି ହନୁମାନ ଚାଳିଶା ଗାନ କରିବେ ବୋଲି ଏମ୍‌ଏନ୍‌ଏସ୍‌ ଅଧ୍ୟକ୍ଷ ଚେତାବନୀ ଦେଇଥିଲେ। ଗତ ରବିବାର ସେ ଔରଙ୍ଗାବାଦ ରାଲିରେ ପୁଣି ଥରେ ଉକ୍ତ ଚେତାବନୀର ପୁନରାବୃତ୍ତି କରିଥିଲେ। ୩ ତାରିଖ ଇଦ୍‌ ହୋଇଥିବାରୁ ୪ ସୁଦ୍ଧା ଡାକବାଜି ଯନ୍ତ୍ର ହଟା ନ ଗଲେ ମସ୍‌ଜିଦ ଆଗରେ ଦୁଇଗୁଣା ଶବ୍ଦରେ ହନୁମାନ ଚାଳିଶା ଗାନ କରାଯିବ ବୋଲି କହିଥିଲେ।

Share