Categories: ଜାତୀୟ

ମୋଦିଙ୍କ ନକଲ କରିବାରୁ ଏତଲା

ନୂଆଦିଲ୍ଲୀ, ୨୧ା୨: ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନକଲ କରିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗିଲାଙ୍କୁ ମହଙ୍ଗା ପଡ଼ିଛି। ଏଥିଯୋଗୁ ତାଙ୍କ ନାଁରେ ଥାନାରେ ଏତଲା ରୁଜୁ ହୋଇଛି। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ତୈଳ ଦର ବୃଦ୍ଧିକୁ ନେଇ ଶ୍ୟାମ ମୋଦିଙ୍କ ମିମିକ୍ରି (ମୋଦିଙ୍କ ଢଙ୍ଗରେ କଥା) କରିଥିଲେ। ଏକ ଭିଡିଓରେ ପେଟ୍ରୋଲ ପମ୍ପର ଦୃଶ୍ୟ ରଖି ସେ କହିଥିଲେ, ମୋ ପ୍ରିୟ ଦେଶବାସୀ.. ରାଜସ୍ଥାନର ଶ୍ରୀଗଙ୍ଗାନଗର ଲୋକଙ୍କ ଛାତି ଗର୍ବରେ ଫୁଲି ଉଠୁଛି। ପେଟ୍ରୋଲ ଦର ଶହେ ଟଙ୍କା ଛୁଇଁଛି। ସ୍ବାଧୀନ ଭାରତ ଇତିହାସରେ ଆଜି ପର୍ଯ୍ୟନ୍ତ କୌଣସି ସରକାର ଆସିନାହିଁ, ଯିଏ କି ପେଟ୍ରୋଲକୁ ତାର ଅସଲ ମୂଲ୍ୟ ଦେଇପାରିଛି। ଶ୍ୟାମ ମିଛରେ ନିଜକୁ ପତ୍ରକାର କହି ଭିଡିଓ କରିଥିବା ଉକ୍ତ ପେଟ୍ରୋଲ ପମ୍ପର ମାଲିକ ଏତଲାରେ ଦର୍ଶାଇଛନ୍ତି। ଏତଲା ନ ଦେଲେ ତେଲ ଟ୍ରାନ୍ସପୋର୍ଟ ବନ୍ଦ କରିଦିଆଯିବ ବୋଲି ପେଟ୍ରୋଲ କମ୍ପାନୀ ପକ୍ଷରୁ ପମ୍ପ ମାଲିକଙ୍କ ଉପରେ ଚାପ ପଡ଼ିଥିବା ଅଭିଯୋଗ ରହିଛି।

Share