ଜୟପୁର,୧୭।୭: ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କୁ ଭାଙ୍ଗିବାକୁ ଉଦ୍ୟମ ଚଳାଇଥିବା ବିଦ୍ରୋହୀ ବିଧାୟକଙ୍କ ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗୁରୁବାର ଏହି ଷଡ଼ଯନ୍ତ୍ରର ଏକ ଅଡ଼ିଓ ଟେପ୍ କଂଗ୍ରେସ ପକ୍ଷରୁ ପ୍ରକାଶ କରାଯିବା ପରେ ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ୍ (ଏସ୍ଓଜି) ଆକ୍ସନ ମୁଡରେ ଆସିଯାଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାଓ୍ବତ, କଂଗ୍ରେସ ବିଧାୟକ ଭଂଓ୍ବରଲାଲ ଶର୍ମା ଓ ସଞ୍ଜୟ ଜୈନଙ୍କ ନାଁରେ ଏସ୍ଓଜି ଏତଲା ଦାୟର କରିଛି। ଏହି ଅଡ଼ିଓ ଟେପ୍ରେ କଂଗ୍ରେସ ବିଧାୟକ ସିଧାସଳଖ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ରଙ୍କ ନାଁ ନେଇଥିବା ଜଣାପଡ଼ିଛି। ଏସ୍ଓଜି ସର୍ବପ୍ରଥମେ ଏହି ଅଡିଓ ଟେପ୍ର ଯାଞ୍ଚ କରିବ। ଏହି ମାମଲାରେ ରାଜସ୍ଥାନ ଏସ୍ଓଜି ପକ୍ଷରୁ ଧାରା ୧୨୪-ଏ ଏବଂ ୧୨୦-ବିରେ ଏତଲା ରୁଜୁ କରିଥିବା ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଧାରା ୧୨୪-ଏ ଅର୍ଥାତ୍ ଦେଶଦ୍ରୋହ ଅଭିଯୋଗରେ ଏସ୍ଓଜି ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଗୁରୁବାର ଏକ ଖବରଦାତା ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜଓ୍ବୋଲା ବିଧାୟକଙ୍କ ବିରୋଧରେ ଏକ ଅଡ଼ିଓ ଟେପ୍ ଜାରି କରିଥିଲେ। ଯେଉଁଥିରେ ଭଂଓ୍ବରଲାଲ, ସଞ୍ଜୟ ଓ ଗଜେନ୍ଦ୍ରଙ୍କ ସ୍ବର ଥିବା ସେ ଦାବି କରିଛନ୍ତି।