ଜାତୀୟ ମାନବାଧିକାର ଆୟୋଗରେ ମାମଲା

କଟକ ଅଫିସ,୨୩ା୯: ନକଲି ମେଡିସିନ୍‌ କାରବାର ମାମଲାକୁ ନେଇ ଜନସାଧାରଣ ଧୀରେଧୀରେ ପ୍ରତିକ୍ରିୟାଶୀଳ ହେବାକୁ ଲାଗିଲେଣି। ବୁଧବାର ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଗୁରୁବାର ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ରେ ଏକ ମାମଲା ନଂ. ୧୫୯୧୭/ଆଇଏନ୍‌/୨୦୨୨ ରୁଜୁ ହୋଇଥିବା ଜଣାପଡ଼ିଛି। ନକଲି ମେଡିସିନ କାରବାରର ମାଷ୍ଟରମାଇଣ୍ଡଙ୍କୁ ଠାବ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏନ୍‌ଏଚ୍‌ଆର୍‌ସିଙ୍କ ଟିମ୍‌ ତଦନ୍ତ କରିବାକୁ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବାସିନ୍ଦା ତଥା ‘ନ୍ୟାୟ ପାଇଁ ଲଢେଇ ପରିବାର’ର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଆବେଦନ କରିଛନ୍ତି। ସୂଚନାନୁଯାୟୀ, ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ନକଲି ଉଚ୍ଚ ରକ୍ତଚାପ ମେଡିସିନ କାରବାର ଚାଲୁଥିବା ନେଇ ସ୍ପଷ୍ଟ ହୋଇଛି। କଟକ ସହରରୁ ୨ଥର ଏହି ନକଲି ମେଡିସିନ ଜବତ ହେଲାଣି। ଏହି ମାମଲାରେ ପୋଲିସ ଗିରଫ କରିଥିବା ୨ଜଣ ଏବେ ଜେଲରେ ଅଛନ୍ତି। ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ଏହି ନକଲି ମେଡିସିନକୁ ସେବନ କଲେ ରୋଗୀ ମୃତ୍ୟୁ ମୁଖକୁ ଚାଲି ଯିବାର ଆଶଙ୍କା ଥିବା ଚିକିତ୍ସା ବିଶେଷଜ୍ଞ ମତ ଦେଉଛନ୍ତି। ତେଣୁ ଏହି ନକଲି ଉଚ୍ଚ ରକ୍ତଚାପ ମେଡିସିନ କାରବାର ପଛରେ ଥିବା ମାଷ୍ଟର ମାଇଣ୍ଡଙ୍କୁ ଠାବ କରିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଥିବା ସୁବ୍ରତ ଆୟୋଗଙ୍କ ନିକଟରେ ନିବେଦନ କରିଛନ୍ତି।