ଅନୁଗୋଳ ଏସ୍‌ଡିପିଓଙ୍କ ନାଁରେ ମାମଲା

ଭୁବନେଶ୍ୱର,୮।୫(ବ୍ୟୁରୋ): ପାରିବାରିକ ବିବାଦରେ ଛନ୍ଦି ହୋଇପଡିଥିବା ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁଙ୍କ ନାଁରେ ଆଉଏକ ଗୁରୁତର ଅଭିଯୋଗ ହୋଇଛି। ସ୍ବାମୀ ଅଶ୍ୱିନୀ ତାଙ୍କୁ ଯୌତୁକ ନିର୍ଯାତନା ଦେବା ସହ ମାରିଦେବାକୁ ଧମକ ଦେଉଥିବା ନେଇ ସ୍ତ୍ରୀ ମମତା ସାହୁ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଆଧାରରେ ଆଇପିସି ଦଫା ୪୯୮ଏ, ୨୩୨, ୫୦୬, ୩୦୭, ୩୪ରେ ମାମଲା (ନଂ.୧୨୫/୨୧) ରୁଜୁ କରାଯାଇଛି। ଏଥିସହ ଯୌତୁକ ନିରୋଧ ଆଇନ ଧାରା-୪ ଲାଗୁ ହୋଇଥିବା ଥାନାଧିକାରୀ ଯୁବରାଜ ସ୍ବାଇଁ ସୂଚନା ଦେଇଛନ୍ତି।
ମମତା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଅଶ୍ୱିନୀ ତାଙ୍କୁ ୧୭ବର୍ଷ ପୂର୍ବେ ବିବାହ କରିଛନ୍ତି। ତାଙ୍କର ଜଣେ ୧୫ ବର୍ଷର ପୁଅ ଅଛି। କିନ୍ତୁ ତାଙ୍କ ସ୍ବାମୀ, ଶାଶୁ, ନଣନ୍ଦଙ୍କ ସହ ନଣନ୍ଦେଇମାନେ ମିଶି ବାରମ୍ବାର ଯୌତୁକ ନିର୍ଯାତନା ଦେବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ଏପରି କି ବାପାଙ୍କଠାରୁ ୫୦ ଲକ୍ଷ ଟଙ୍କା ସହ ଭୁବନେଶ୍ୱରରେ ଥିବା ୪ ବିଏଚ୍‌କେ ଫ୍ଲାଟ୍‌ ଦେବାକୁ ସେମାନେ ତାଙ୍କ ଉପରେ ଚାପ ପକାଇ ଆସୁଛନ୍ତି। ନଚେତ ପେଟ୍ରୋଲ ପକାଇ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ସେହିପରି ସ୍ବାମୀଙ୍କ ସହ ସମ୍ପର୍କ ରଖିଥିବା ବିବାଦୀୟ ଥାନା ଅଧିକାରିଣୀ ମଧ୍ୟ ସେମାନଙ୍କ ସହ ମିଶି ତାଙ୍କୁ ଜୀବନରେ ମାରିଦେବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏଥିସହ ସ୍ବାମୀଙ୍କ ଅନୈତିକ ସମ୍ପର୍କକୁ ନେଇ ଏକ ଭିଡିଓ ପୋଲିସକୁ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ମମତା ପୂର୍ବରୁ ମଧ୍ୟ ସ୍ବାମୀ ଅଶ୍ୱିନୀଙ୍କ ନାଁରେ ପରକୀୟାପ୍ରୀତି ଅଭିଯୋଗ ଆଣିଥିଲେ। ଛାଡପତ୍ର ନ ଦେଇ ଅଶ୍ୱିନୀ ଜଣେ ଥାନାଧିକାରିଣୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଗଣମାଧ୍ୟମରେ କହିଥିଲେ। ଏହାପରେ ଅଶ୍ୱିନୀଙ୍କ ମା ଓ ଭଉଣୀ ଏକ ଖବରଦାତା ସମ୍ମିଳନୀ ଡାକି ବୋହୂ ମମତାଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଥିଲେ। ଶେଷରେ ମମତା ଜାତୀୟ ମାନବାଧିକାର କାଉନସିଲର ସଭାନେତ୍ରୀ ସସ୍ମିତା ଦାସ ଓ ମାମି ସାହୁ ପ୍ରମୁଖଙ୍କ ସହ ଥାନାରେ ପହଞ୍ଚତ୍ ଅଭିଯୋଗ କରିବା ସହ ସୁରକ୍ଷା ଓ କାର୍ଯ୍ୟାନୁଷ୍ଠାନ ନିବେଦନ କରିଛନ୍ତି।

Share