ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳତ୍କାର ମାମଲା: ମୁଖ୍ୟ ଡାକ୍ତରାଖାନାରେ ପୀଡିତା, ପରିବାର ସଦସ୍ୟଙ୍କୁ ଭେଟିଲେ କୋରାପୁଟ ଏମପି

ରାୟଗଡା,୨୬।୯(ଭାଗ୍ୟଶ୍ରୀ ମିଶ୍ର): ରାୟଗଡା ଜିଲା କାଶୀପୁର ବ୍ଲକର ଡ଼ଙ୍ଗାସିଲ ଗ୍ରାମରେ ଥିବା ଏକ କନ୍ୟାଶ୍ରମରେ ଏକ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ପିଅନ ବଳାତ୍କାର କରିଥିଲେ। ଯାହା ସାରା ଜିଲାରେ ଏକ ଚର୍ଚ୍ଚିତ ବିଷୟ ପାଲଟି ଯାଇଛି l ଏଭଳି ଜଘନ୍ୟ ଅପରାଧ କରିଥିବା ବ୍ୟକ୍ତିଙ୍କୁ ନିନ୍ଦା କରିବା ସହ ଏହି ଘଟଣା ପାଇଁ ବିରୋଧୀ ଦଳ ଏବେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ମଙ୍ଗଳବାର ଏହି ପରିପ୍ରେକ୍ଷୀରେ କୋରାପୁଟ ଲୋକସଭା ଏମପି ସପ୍ତଗିରି ଉଲାକା ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟ ଯାଇ ପୀଡିତାଙ୍କ ସହ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଛନ୍ତି। ସେମାନଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଝିଅଙ୍କୁ କିପରି ନ୍ୟାୟ ମିଳିବ ସେ ନେଇ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ପରେ ସେ ପୀଡିତାଙ୍କ ସ୍କୁଲକୁ ଯାଇ ଘଟଣାର ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ ଏସମ୍ପର୍କରେ କଥା ହୋଇଛନ୍ତି। ଏମପିଙ୍କ ସହ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଦୁର୍ଗା ପଣ୍ଡା, ରତ୍ନମଣି ଉଲାକା, ବିଧାୟକ ପ୍ରାର୍ଥୀ ଆପଲ ସ୍ବାମୀ କାର୍ଡାକ ପ୍ରମୁଖ ଉପସ୍ଥିତ ଥିଲେ।