କାମାକ୍ଷାନଗର,୧୯।୯(ଅମଜାଦ ଖାନ): ଏକ ଓ୍ବେବ୍ ଚ୍ୟାନେଲରେ ସୋମବାର ଅଶ୍ଲୀଳ ଭିଡିଓ ଅପଲୋଡ କରାଯାଇ ଏହା କଙ୍କଡ଼ାହାଡ଼ ବ୍ଲକସ୍ଥିତ ଏକ ଶିକ୍ଷାନୁଷ୍ଠାନର ଜଣେ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କର ବୋଲି କୁହାଯାଇଥିବାରୁ ଏହା ବିରୋଧରେ କଙ୍କାଡ଼ାହାଡ଼ ଥାନାରେ ମାମଲା ରୁଜୁ କରାଯାଇଛି। ଏହି ଭିଡିଓ କଙ୍କଡ଼ାହାଡ଼ ବ୍ଲକର କୌଣସି ଶିକ୍ଷାନୁଷ୍ଠାନର ନୁହେଁ ବୋଲି କହିବା ସହ ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ୪୨୫ ଜଣ ଶିକ୍ଷୟିତ୍ରୀଶିକ୍ଷକ ଉକ୍ତ ଓ୍ବେବ୍ ଚ୍ୟାନେଲ ମାଲିକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଓ୍ବେବ ଚ୍ୟାନେଲ ମାଲିକଙ୍କୁ ଗିରଫ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅଶୋକ ସାହୁ, ଏନ୍ପିଏସ ଶିକ୍ଷକ ସଂଘ ସଭାପତି ଶିବପ୍ରସାଦ ମିଶ୍ର, ସମ୍ପାଦକ ରଞ୍ଜନ ସାହୁ, ପ୍ରଫୁଲ୍ଲ ବାରିକ, ଶିକ୍ଷୟିତ୍ରୀ କଳ୍ପନା କର, କୁନି ସିଂ ସମେତ ବହୁ ଶିକ୍ଷୟିତ୍ରୀଶିକ୍ଷକ ଅଭିଯୋଗ ବେଳେ ଉପସ୍ଥିତ ଥିଲେ। ଏ ନେଇ ନଂ. ୧୮୬/୨୩ ରେ ଏକ ମାମଲା ରୁଜୁ ହୋଇଛି। ଖୁବ୍ଶୀଘ୍ର ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ କଳ୍ପନା ବେହେରା କହିଛନ୍ତି।