ଦିବ୍ୟାଙ୍ଗଙ୍କୁ ଘରେ ଟିକା ଦେବା ମାମଲା, କେନ୍ଦ୍ର ସରକାରଙ୍କୁ ଜବାବ୍‌ ତଲବ…

ନୂଆଦିଲ୍ଲୀ,୨୦।୯: ଦିବ୍ୟାଙ୍ଗଙ୍କୁ ସେମାନଙ୍କ ଘରେ କରୋନା ଟିକା ଦେବା ମାମଲା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜବାବ୍‌ ତଲବ କରାଯାଇଛି। ଏଓ୍ବାରା ଫାଉଣ୍ଡେଶନ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ଦୁଇ ସପ୍ତାହ ପରେ ହେବ ବୋଲି ଶୀର୍ଷ କୋର୍ଟ ସୂଚନା ପ୍ରଦାନ କରିଛନ୍ତି।

ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ବି.ଭି. ନାଗରଥ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏନେଇ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସହାୟତା ଲୋଡ଼ିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପଙ୍କଜ ସିହ୍ନା କହିଛନ୍ତି ଯେ, ଇଣ୍ଡିଆନ୍‌ ମେଡ଼ିକାଲ ଆସୋସିଏଶନ ପକ୍ଷରୁ ଦିବ୍ୟାଙ୍ଗଙ୍କୁ କରୋନା ଟିକାକରଣ କ୍ଷେତ୍ରରେ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି।

କେରଳ ଏବଂ ଝାଡ଼ଖଣ୍ଡ ରାଜ୍ୟ ସରକାର ଦିବ୍ୟାଙ୍ଗଙ୍କୁ ଘରେ ଟିକା ଦେବା ନେଇ ଆଇନ ପ୍ରଣୟନ କରିଛନ୍ତି। ତେବେ ଅନ୍ୟ କୌଣସି ରାଜ୍ୟରେ ଏଭଳି କରାଯାଉ ନାହିଁ ବୋଲି ଆବେଦନକାରୀଙ୍କ ଆଇନଜୀବୀ କହିଛନ୍ତି। କୋର୍ଟ କହିଛନ୍ତି ଏନେଇ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ଲୋଡ଼ା ଯିବା ଠିକ ହେବ। ସମସ୍ତ ରାଜ୍ୟରୁ ଜବାବ ଲୋଡ଼ିଲେ ଏହା ୨ ସପ୍ତାହ ପରିବର୍ତ୍ତେ ୨ ମାସ ଲାଗିବ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି।

Share