ଲୀନାଙ୍କ ନାଁରେ ମାମଲା

ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଲୀନା ମାନିମେକଲାଇଙ୍କ ଫିଲ୍ମ ‘କାଳୀ’ର ଏକ ପୋଷ୍ଟରକୁ ନେଇ ବିବାଦ ତେଜିବାରେ ଲାଗିଛି। ପୋଷ୍ଟରରେ ହିନ୍ଦୁ ଦେବୀ କାଳୀଙ୍କ ବେଶରେ ଜଣେ ମହିଳା ସିଗାରେଟ୍‌ ଟାଣୁଥିବାର ଦୃଶ୍ୟ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ଲୀନାଙ୍କ ନାମରେ ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ମାମଲା ରୁଜୁ ହୋଇଛି। ସୋସିଆଲ ମିଡିଆରେ ଲୀନାଙ୍କୁ ଗିରଫ କରିବାକୁ ଅନେକ ପୋଷ୍ଟ ଟ୍ରେଣ୍ଡ କରୁଛି।
ଜଣେ ଆଇନଜୀବୀ ବିନୀତ ଜିନ୍ଦଲ ଲୀନାଙ୍କ ଏହି ବିବାଦୀୟ ପୋଷ୍ଟରକୁ ନେଇ ଏତଲା ଦେଇଥିଲେ। ହିନ୍ଦୁଙ୍କ ଧର୍ମୀୟ ଭାବାବେଗକୁ ତାହା ଆଘାତ ପହଞ୍ଚାଉଥିବା କହି କାନାଡାର ଟରଣ୍ଟୋସ୍ଥିତ ଆଗା ଖାନ୍‌ ମ୍ୟୁଜିୟମରେ ଏହି ଡକ୍ୟୁମେଣ୍ଟାରିର ଫଟୋ, ଭିଡିଓ କ୍ଲିପ୍‌ ପ୍ରଦର୍ଶନ ଉପରେ ରୋକ୍‌ ଲଗାଇବାକୁ ଜିନ୍ଦଲ ଦାବି କରିଛନ୍ତି। ଉତ୍ତରପ୍ରଦେଶ ପୋଲିସ ମଧ୍ୟ ଲୀନାଙ୍କ ବିରୋଧରେ ମାମଲା ରୁଜୁ କରିଛି। ମଙ୍ଗଳବାର ହାଜରତଗଞ୍ଜ ଥାନାରେ ଏହି ୩୯ ବର୍ଷୀୟା ନିର୍ଦ୍ଦେଶିକାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଗୋ ମହାସଭା ସଦସ୍ୟ ଅଜୟ ଗୌତମ ମଧ୍ୟ ଲୀନାଙ୍କ ବିରୋଧରେ ଏତଲା ଦେଇଛନ୍ତି। ‘କାଳୀ’ ଡକ୍ୟୁମେଣ୍ଟାରୀ ପୋଷ୍ଟରରେ ତାମିଲନାଡ଼ୁ ମଦୁରାଇର ଫିଲ୍ମ ନିର୍ମାତା ଲୀନା ଜଣେ ମହିଳା କାଳୀଙ୍କ ବେଶରେ ସିଗାରେଟ୍‌ ଟାଣୁଥିବାର ପୋଷ୍ଟର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାର ବ୍ୟାକ୍‌ଗ୍ରାଉଣ୍ଡରେ ଏଲ୍‌ଜିବିଟି ସମ୍ପ୍ରଦାୟର ପତାକା ରହିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ନକାରାତ୍ମକ କମେଣ୍ଟ ଦେଉଛନ୍ତି।

Share