ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କୁ ୨ବର୍ଷ ଜେଲ

ବାରିପଦା,୩।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): କଟକ ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟରେ ସୋମବାର ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ବିଚାରପତି ଏହାର ବିଚାର କରି ଅଭିଯୁକ୍ତ ବାରିପଦାର ଲକ୍ଷ୍ମୀପୋଷିସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ନରହରି ପଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୫୦ହଜାର ଟଙ୍କା ଜରିମାନା କରିଥିବା ବେଳେ ଅନାଦେୟ ଅଧିକ ୬ମାସର କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ପୂର୍ବତନ ନିର୍ବାହୀ ଯନ୍ତ୍ରୀ ନରହରିଙ୍କ ନାମରେ ପୂର୍ବ ଅଭିଯୋଗ କ୍ରମେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରି ଯାଞ୍ଚ କରାଯାଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ସହ ତଦନ୍ତ କରାଯାଇଥିଲା। ତାଙ୍କର ବାର୍ଷିକ ଆୟର ବହିର୍ଭୂତ ସମ୍ପତ୍ତି ନେଇ ସାକ୍ଷୀଙ୍କ ବୟାନ ଓ ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଭିତ୍ତିକରି ଜଜ୍‌ ଏହି ଦଣ୍ଡ ଶୁଣାଣି କରିଛନ୍ତି। ସେ ଅବସର ନେଇ ସାରିଥିବା ବେଳେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍‌ସନ ବନ୍ଦ କରିବାକୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବତନ୍ତ୍ର ପିପି ବିରେନ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।

Share