Categories: ଖେଳ

ପଦକ ବିଜେତାଙ୍କୁ ଆର୍ଥିକ ପୁରସ୍କାର

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି): ୨୦୨୨ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଏବଂ ଗତବର୍ଷ ବିଭିନ୍ନ ପ୍ରତିଯୋଗିତାରେ ପଦକ ବିଜେତା ଓଡ଼ିଶା ଆଥଲେଟ୍‌ଙ୍କୁ ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ହକି ପ୍ରମୋଶନ କାଉନ୍ସିଲ ଅଧ୍ୟକ୍ଷ ଦିଲୀପ ତିର୍କୀ, କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ମୋଟ ୧,୮୫, ୨୨, ୫୦୦ ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଥିଲେ। ୨୦୨୨ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ଓଡ଼ିଶା ଆଥଲେଟ୍‌ମାନେ ଚମତ୍କାର ପ୍ରଦର୍ଶନ କରି ୩୦ଟି ପଦକ ହାସଲ କରିଥିଲେ। ଏହା ମଧ୍ୟରେ ୧୧ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୧୧ ବ୍ରୋଞ୍ଜ ସାମିଲ ଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସ୍ବର୍ଣ୍ଣ ପାଇଁ ୧ ଲକ୍ଷ, ରୌପ୍ୟଲାଗି ୭୫,୦୦୦ ଓ ବ୍ରୋଞ୍ଜପାଇଁ ୫୦,୦୦୦ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା।
ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ପଦକ ବିଜେତାଙ୍କ ବ୍ୟତୀତ ବିଡବ୍ଲ୍ୟୁଏଫ୍‌ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ସିଙ୍ଗଲ୍ସ ସ୍ବର୍ଣ୍ଣ ଏବଂ ଟିମ୍‌ ରୌପ୍ୟ ପାଇଥିବା ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ୨୭ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ସେହିପରି ପର୍ତ୍ତୁଗାଲରେ ଅନୁଷ୍ଠିତ ଡବ୍ଲ୍ୟୁଏଏସ୍‌ ଓ୍ବାଲର୍‌ଡ ଗେମ୍ସରେ ୩ ପଦକ ଜିତିଥିବା ପାରା ଆଥଲେଟ୍‌ ଜୟନ୍ତି ବେହେରାଙ୍କୁ ୫୪ ଲକ୍ଷ ଟଙ୍କା ଦିଆ ଯାଇଥିଲା। ସେ ୨୦୦ ଓ ୪୦୦ ମିଟର ରେସ୍‌ରେ ସ୍ବର୍ଣ୍ଣ ଏବଂ ୧୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ।

Share