Categories: ଜାତୀୟ

ପାଇପ୍‌ରୁ ପାଣି ବେଗରେ ବାହାରିଲା ଟଙ୍କା

ବେଙ୍ଗାଲୁରୁ,୨୪।୧୧: ପିଡବ୍ଲ୍ୟୁଡି ବିଭାଗରେ କାର୍ଯ୍ୟରତ ଜଣେ ଇଞ୍ଜିନିୟରଙ୍କ ଘରେ କର୍ନାଟକ ଦୁର୍ନୀତି ନିରୋଧି ବ୍ୟୁରୋ (ଏସିବି) ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଘରର ପାଇପ୍‌ ଖୋଲା ଯାଇଥିଲା। ସେଥିରୁ ପାଣି ବେଗରେ ଟଙ୍କା ବାହାରିଥିଲା।

ଅଧିକାରୀମାନେ କହିଛନ୍ତି, ପିଡବ୍ଲ୍ୟୁଡି ବିଭାଗରେ କାର୍ଯ୍ୟରତ ଯୁଗ୍ମ ଇଞ୍ଜିନିୟର ଶାନ୍ଥା ଗୌଡ଼ା ବିରାଦରଙ୍କ ବାସଭବନର ପାଇପ୍‌ ଲାଇନ୍‌ରେ ଟଙ୍କା ଲୁଚାଇଥିବା ଖବର ପାଇଥିଲୁ। ଚଢ଼ାଉ ବେଳେ ଅଧିକାରୀମାନେ ସାଥିରେ ପ୍ଲମ୍ବର ନେଇଯାଇଥିଲେ। ବିରାଦରଙ୍କ ବାସଭବନରୁ ୨୫ ଲକ୍ଷ ଟଙ୍କା ଓ ବହୁ ପରିମାଣର ସୁନା ଜବତ ହୋଇଛି। ଚଢ଼ାଉ ବେଳର ଭିଡିଓରେ ଅଧିକାରୀଙ୍କ ସହ ପ୍ଲମ୍ବର ମିଶି ପାଇପ୍‌ ଲାଇନରୁ ବିଡ଼ା ବିଡ଼ା ଟଙ୍କା ବାହାର କରୁଥିବା ଦେଖିବାକୁ ମିଳିଛି।

ସରକାରୀ ଅଧିକାରୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତର ଅଂଶବିଶେଷ ଭାବେ ବିରାଦରଙ୍କ ଘର ଉପରେ ଚଢ଼ାଉ କରିଥିଲା ଏସିବି। ୧୫ ଅଧିକାରୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟର ୬୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।

Share